କଟକ,୧୯।୨: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମକୁ ନବକଳେବର କରାଯାଉଛି। ଏଥି ଲାଗି ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡିଛି। ତେବେ ଆସନ୍ତା ୨୭ରେ ରାଜ୍ୟର ଏକମାତ୍ର ଏହି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ସୂଚନା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଅନ୍ୟପଟେ ସେହିଦିନ ୪୨ଟି ନୂତନ କ୍ରିକେଟ ଏକାଡେମୀ ମଧ୍ୟ ଉଦ୍ଘାଟିତ ହେବ ବୋଲି ସୂଚନା ମିଳିଛି। ଓସିଏର ଗତ ବାର୍ଷିକ ସାଧାରଣ ବୈଠକରେ ଏ ବାବଦରେ ଘୋଷଣା କରାଯାଇଥିଲା। ୭୦ବର୍ଷର ପୁରୁଣା ବାରବାଟୀ ଷ୍ଟାଡିୟମର ନବକଳେବର ନିମନ୍ତେ ଆବଶ୍ୟକ ପଡ଼ିଲେ ବିଭିନ୍ନ ଗ୍ୟାଲେରୀକୁ ଭଙ୍ଗା ଯିବ ବୋଲି ଜଣାପଡିଛି। ତେବେ ନବୀକରଣର ପ୍ରିଲିମିନାରୀ ପ୍ରୋଜେକ୍ଟ ରିପୋର୍ଟ (ପିପିଆର) ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାଖଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିବା ପରେ ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ କାମ ମଧ୍ୟ କରାଯାଉଛି। ଆସନ୍ତା ୨୭ରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ଖୁବ୍ଶୀଘ୍ର କାମ କରାଯିବ ବୋଲି ଜଣାପଡିଛି। ତେବେ ରାଜ୍ୟରେ କ୍ରିକେଟକୁ ଆଗକୁ ନେବା ପାଇଁ ଓଡ଼ିଶା କ୍ରିକେଟ ସଂଘ (ଓସିଏ) ପକ୍ଷରୁ ଏହି ବୃହତ ଯୋଜନା ହାତକୁ ନିଆଯାଇଥିବା କୁହାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |