ଭୁବନେଶ୍ୱର,୨୦ା ୨ :ଚଳିତବର୍ଷର ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେଉଛି।ମାଟ୍ରିକ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ। ବୋର୍ଡ ପକ୍ଷରୁ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ପୁଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି। ଆଜିଠୁ ଆରମ୍ଭ ହେଉଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ ।ପରୀକ୍ଷାରେ ମାଧ୍ୟମିକ ଶିକ୍ଷକମାନେ ସହଯୋଗ କରିବେ। ଦୀର୍ଘଦିନର ଆନ୍ଦୋଳନକୁ ସ୍ଥଗିତ ରଖି ପରୀକ୍ଷା ପରିଚାଳନାରେ ସହଯୋଗ କରିବା ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସୋମବାର ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେଇଛି। ଏ ନେଇ ସଂଘ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି, ବିଭାଗ ପକ୍ଷରୁ ଆମକୁ ଆଲୋଚନା ପାଇଁ ଡକାଯାଇଥିଲା। ଖୁବ୍ଶୀଘ୍ର ଦାବି ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଫେବୃଆରୀ ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇଯିବ ବୋଲି ଆଶା କରୁଛୁ। ତେଣୁ ଆମେ ରାଜ୍ୟସ୍ତରୀୟ ଆନ୍ଦୋଳନକୁ ସ୍ଥଗିତ ରଖୁଛୁ। ପରୀକ୍ଷାରେ ସମ୍ପୂର୍ଣ୍ଣ ସହଯୋଗ କରିବୁ। କିନ୍ତୁ ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ କେବଳ ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରହିବ। ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଜିଲାଓ୍ବାରି ଧାରଣା ଚାଲିବ। ଯେଉଁ ଶିକ୍ଷକଙ୍କର ପରୀକ୍ଷା ଡ୍ୟୁଟି ଅଛି ସେମାନେ କାର୍ଯ୍ୟରେ ଯୋଗଦେବେ। ଯେଉଁମାନଙ୍କର ଡ୍ୟୁଟି ନାହିଁ, ସେମାନେ ଏହି ଧାରଣାରେ ବସିବେ ବୋଲି ଦାଶ ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |