ନବରଙ୍ଗପୁର ଜିଲ୍ଲା ରେ ଶିକ୍ଷବ୍ୟବସ୍ଥା ଉପସ୍ଥାନ ଖାତାରେ ନାମ, ଇଟାଭାଟିରେ କାମ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର): ସ୍କୁଲ ଉପସ୍ଥାନ ଖାତାରେ ନାଁ ଗଡ଼ୁଛି। କିନ୍ତୁ ମାସ ମାସ ଧରି ବିଦ୍ୟାଳୟର ମୁହଁ ଚାହିଁନାହାନ୍ତି ପିଲା। ତଥାପି ବିଦ୍ୟାଳୟ କର୍ତ୍ତୃପକ୍ଷ ନିରବ। ଅନ୍ୟପଟେ କଅଁଳ ବୟସରେ ଦଲାଲ୍‌ର ପ୍ରଲୋଭନରେ ପଡ଼ି ଦାଦନ ଖଟିବାକୁ ବାପା, ମା’ ସହ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ନବରଙ୍ଗପୁର ଜିଲ୍ଲା ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକରେ ଦେଖିବାକୁ ମିଳିଛି। ଏଠାକାର ଚାରିଜଣ ନାବାଳକ ଓ ନାବାଳିକାଙ୍କୁ କର୍ମ କ୍ଷେତ୍ରରୁ ଉଦ୍ଧାର କରିଛି ତେଲେଙ୍ଗାନା ଶ୍ରମ ବିଭାଗ। ସମସ୍ତ ଶିଶୁ ଶ୍ରମିକଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରିଛି। ଜିଲ୍ଲାରେ ଡ୍ରପଆଉଟ୍‌ର ପ୍ରକୃତ ଚିତ୍ରକୁ ଏହି ଘଟଣା ପଦାରେ ପକାଇଛି। ଗତ ଜାନୁଆରି ମାସରେ ତେଲେଙ୍ଗାନା ଶ୍ରମ ବିଭାଗ ମେହେବୁବାବାଦର ଏକ ଇଟାଭାଟିରେ ଚଢ଼ଉ କରିଥିଲା। ଭାଟିରୁ ୮ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୪ଜଣ ନବରଙ୍ଗପୁର ଜିଲ୍ଲାର ଥିଲେ। ଝରିଗାଁ ବ୍ଲକର ୨ଜଣ ରହିଥିବା ବେଳେ ଜଣେ ପଞ୍ଚମ ଓ ଅନ୍ୟଜଣକ ସପ୍ତମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି। ଏହି ୨ଜଣଙ୍କୁ ଜଣେ ଦଲାଲ୍‌ ଟଙ୍କା ଲୋଭ ଦେଖାଇ ତେଲେଙ୍ଗାନା ନେଇଥିଲେ। ଉଦ୍ଧାର ହୋଇଥିବା ଅନ୍ୟ ୨ଜଣ ଚନ୍ଦାହାଣ୍ଡି ବ୍ଲକର। ଜଣେ ପଞ୍ଚମରେ ଓ ଅନ୍ୟ ଜଣକ ଦଶମରେ ପଢୁଥିବା ଜଣାପଡିଛି। ଏ ଦୁହେଁ ବାପା, ମା’ ସହ ଇଟାଭାଟିରେ କାମ କରୁଥିଲେ। ୪ଜଣ ଶିଶୁ ଶ୍ରମିକଙ୍କ ଠିକଣା ପାଇବା ପରେ ତେଲେଙ୍ଗାନା ଶ୍ରମ ବିଭାଗ ନବରଙ୍ଗପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌କୁ ଖବର ଦେଇଥିଲେ। ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ଓ ସମାଜିକ କର୍ମୀ ସମରେନ୍ଦ୍ର ପରିଡା ମାଲକାନାଗିରି ଯାଇ ସମସ୍ତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଚନ୍ଦାହାଣ୍ଡିର ୨ଶିଶୁଙ୍କୁ ତାଙ୍କ ବାପା ଓ ମା’ଙ୍କୁ ହସ୍ତାନ୍ତର କରାଯାଇଛି। ଝରିଗାଁର ୨ଜଣଙ୍କୁ ତାଙ୍କ ପରିବାର ନିକଟରେ ପହଞ୍ଚାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!