ଭୁବନେଶ୍ୱର,୨୨।୩:ବିଜେଡି ଛାଡ଼ିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ପ୍ରେସମିଟ କରି ଇସ୍ତଫା ନେଇ ସୂଚନା ଦେଲେ ସାଂସଦ ଭର୍ତ୍ତୃହରି ମହତାବ । ପ୍ରେସ୍ମିଟ୍ କରି ସେ କହିଛନ୍ତି ଯେ, ତାଙ୍କ ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି।ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ଭର୍ତ୍ତୃହରି। ସେ ନିଜର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ବିଜେଡିରୁ ଇସ୍ତଫା ଦେବା ପରେ ସେ କହିଛନ୍ତି, ୧୭ତମ ଲୋକସଭାର କାର୍ଯ୍ୟକାଳ ସରିଯାଇଛି। ସାଂସଦ ଭାବେ ଓ ବିଜେଡି ପ୍ରତିନିଧି ଭାବେ ନିଜର କର୍ତ୍ତବ୍ୟ ଠିକ୍ ଭାବେ କରିଛି ବୋଲି ଭାବୁଛି। କଟକ ଲୋକସଭା ନିର୍ବାଚନମଣ୍ଡଳୀରେ ଯେତେ ପ୍ରକାର କାର୍ଯ୍ୟରେ ସାମିଲ ହେବା କଥା ହୋଇଛି। ଅନ୍ତିମ ପର୍ଯ୍ୟାୟରେ ଯେତେବେଳେ ନିର୍ବାଚନ ଘୋଷଣା ହୋଇଗଲାଣି, ସେତେବେଳେ ବିଜେଡିଠାରୁ ନିଜକୁ ଦୂରେଇ ନେଉଛି। ତେବେ ଏଠି ପ୍ରଶ୍ନ ହେଉଛି କାହିଁକି? ଏହାର ସଂକ୍ଷିପ୍ତ ଉତ୍ତର ହେଉଛି, ବିଜେଡିରେ ବହୁ ପରିବର୍ତ୍ତନ ହୋଇଯାଇଛି। ଦୁର୍ନୀତି ଓ ବ୍ୟକ୍ତିଗତ ସମ୍ପତି ଆହରଣ ବିରୋଧରେ ଲଢ଼ିବା ପାଇଁ ବିଜେଡି ତିଆରି ହୋଇଥିଲା। ଓଡ଼ିଶାବାସୀ ମଧ୍ୟ ବିଜେଡିକୁ ବାରମ୍ୱାର ସମର୍ଥନ ଦେଇଛନ୍ତି। ଗତ କିଛି ବର୍ଷ ହେଲା ଦଳ ଯେଉଁଭଳି ପରିଚାଳିତ ହେଉଛି, ତାହାର ସଂଶୋଧନ ପାଇଁ ବହୁବାର ଉଦ୍ୟମ କରିଛି ଓ କହିଛି। କିନ୍ତୁ ସେଥିରେ କିଛି ସୁଫଳ ମିଳିଲା ନାହିଁ। ତେଣୁ ପୁନର୍ବାର ଯେତେବେଳେ ନିର୍ବାଚନ ଆସିବାକୁ ଯାଉଛି, ମୁଁ ଭାବୁଛି ଦଳଠାରୁ ଦୂରେଇ ଗଲେ ଅଧିକ ପ୍ରଖର ଭାବେ କାର୍ଯ୍ୟ କରିପାରିବି। ମୁଁ ଯେତେବେଳେ ବନ୍ଧନରେ ରହିଯାଉଥିଲି, ସେତେବେଳେ ମୋର ଅନୁଭବକୁ ପ୍ରକାଶ କରିବା ପାଇଁ ବାଧା ଦିଆଯାଉଥିଲା। ଯଦି କିଛି କହିଲି, ତାକୁ କଦର୍ଥ କରି ସମାଲୋଚନା କରାଯାଉଥିଲା। ଭଲ ହେବ ଯଦି ମୁଁ ଦଳଠାରୁ ଦୂରେଇ ଯିବି। ସେଥିପାଇଁ ବିଜେଡିରୁ ଇସ୍ତଫା ଦେଲି ବୋଲି ଶ୍ରୀ ମହତାବ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |