ଚିନ୍ତାରେ ମତ୍ସ୍ୟଜୀବୀ,୬୧ ଦିନ ଯାଏ ମାଛ ଧରିବା ମନା

ପାରାଦୀପ,୧୫।୪ :ଆଜିଠାରୁ ଓଡିଶା ଉପକୂଳରେ ମାଛ ଧରା ଉପରେ ଲାଗିଲା ରୋକ୍‌ । ନଦୀ ମୁହାଣରେ ବି ମାଛ ଧରିବା ପାଇଁ ଲାଗିଲା ଅଙ୍କୁଶ। ଆଜିଠାରୁ ଜୁନ ୧୪ ଯାଏ ଏହି କଟକଣା ଲାଗୁ ହୋଇଛି । ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ୬୧ ଦିନ ପାଇଁ ମାଛ ଧରିବା ଉପରେ କଟକଣା ଲାଗୁ କରାଯିବା ନେଇ ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।   ମତ୍ସ୍ୟ ନିର୍ଦ୍ଦେଶାଳୟ କଟକ ପକ୍ଷରୁ ଏହି ସର୍କୁଲାର (ଚିଠି ନଂ.୩୯୮୭) ଜାରି କରାଯାଇଛି। ଏହି କଟକଣା ପରେ ରାଜ୍ୟର ସବୁ ମାଛଧରା ବନ୍ଦର ବନ୍ଦ ରହିବ। ଏହାଦ୍ବାରା ପ୍ରାୟ ୧୨ ଲକ୍ଷ ମତ୍ସ୍ୟଜୀବୀ ପ୍ରଭାବିତ ହେବେ। ଏପରି କଟକଣା ୨୦୦୭ ମସିହାରୁ ଚାଲିଛି। ପୂର୍ବରୁ ଏହା ୪୫ ଦିନ ରହୁଥିଲା। ୨୦୧୭ ରୁ ୬୧ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସମୁଦ୍ରରେ ମାଛ ବଂଶ ବୃଦ୍ଧି ପାଇଁ ଏପରି କରାଯାଉଛି। ଏପ୍ରିଲ ୧୫ ରୁ ଜୁନ ୧୪ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କଟକଣା ଜାରି ହେବା ପୂର୍ବରୁ ରବିବାର ସା ସୁଦ୍ଧା ସମୁଦ୍ର ଭିତରେ ଥିବା ମାଛଧରା ବୋଟଗୁଡ଼ିକ ମାଛଧରା ବନ୍ଦର ପୋତାଶ୍ରୟକୁ ଫେରି ଆସିଛନ୍ତି।ପାରାଦୀପ ମାଛଧରା ବନ୍ଦରରୁ  ପ୍ରାୟ ୬୦୦ ବଡ଼ ବୋଟ ଓ ୨୦୦ ଛୋଟ ଡଙ୍ଗା ମାଛ ଧରିବା ପାଇଁ ନିୟମିତ ସମୁଦ୍ରକୁ ଯାଇଥାନ୍ତି। ଏହି ମତ୍ସ୍ୟ ଶିଳ୍ପ ଉପରେ ପ୍ରାୟ ୫୦ ହଜାର ଲୋକ ନିର୍ଭରଶୀଳ ବୋଲି ଓମ୍ଫା (ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ) ସଭାପତି ଶ୍ରୀକାନ୍ତ ପରିଡ଼ା କୁହନ୍ତି। ଏବେ ସେମାନେ ଦୁଇମାସ ଘରକୁ ପଳାଇ ଯିବେ। ୨୦୦୫ ପୂର୍ବରୁ ଗୋଟିଏ ବୋଟ୍‌ ସମୁଦ୍ରରେ ବର୍ଷକୁ ୨୦ ରୁ ୨୨ଥର ସମୁଦ୍ରକୁ ଯାଇ ମାଛଧରି ଫେରୁଥିଲେ।ଏବେ ବର୍ଷକୁ ୧୦ ରୁ୧୨ଥର ସମୁଦ୍ରକୁ ଯିବା  କଷ୍ଟକର ହେଉଛି ବୋଲି ଏକ ବୋଟ୍‌ ମାଲିକ  ନରେନ୍ଦ୍ର ବିଶ୍ୱାଳ କୁହନ୍ତି। ସମୁଦ୍ରରେ ମାଛ ଉତ୍ପାଦନ ହ୍ରାସ ପାଇବା, ଅନିୟନ୍ତ୍ରିତ ପାଣିପାଗ, ଇନ୍ଧନ ମୂଲ୍ୟ ବୃଦ୍ଧି, ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ପାଇଁ ୬ ମାସ କଟକଣା, ନଦୀ ମୁହାଣ ଅଶାନ୍ତ ରହିବା ଭଳି ଘଟଣା ଏହାର ପ୍ରମୁଖ କାରଣ ବୋଲି ସେ ପ୍ରକାଶ କରିଛନ୍ତି। ଓଡ଼ିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗୁଞ୍ଜାମ, କୁଜଙ୍ଗ, ବାଲୁଗାଁ, ବାଲେଶ୍ୱର ଓ ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ଓଡିଶା ମେରାଇନ ଫିସିଂ ରେଗୁଲେସନ ଆକ୍ଟ(OMFRA)ର କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ କରାଯାଇଛି । ଏହାଦ୍ୱାରା ପାରାଦୀପରେ କେବଳ ୭ ଶହ ପାଖାପାଖି ଟ୍ରଲର ମାଛ ଧରିବାରୁ ବଞ୍ଚିତ ରହିବେ। ଏଥିରେ ନିୟୋଜିତ ଥିବା ପ୍ରାୟ ୫ ହଜାର ମତ୍ସ୍ୟଜୀବୀ ଏବେ ଦୁଇ ମାସ ହାତ ବାନ୍ଧି ବସିବେ।ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ବିଜୟ କୁମାର କରଙ୍କ କହିବାନୁସାରେ,କଟକଣାକୁ ମତ୍ସ୍ୟଜୀବୀମାନେ ସହଜରେ ସ୍ବାଗତ କରିଥାନ୍ତି। କାରଣ ଏହି ସମୟ ମଧ୍ୟରେ ମାଛ ବଂଶ ବୃଦ୍ଧି ପାଇଁ ଉପଯୁକ୍ତ ସମୟ ଥାଏ। ପ୍ରଜନନ, ଅଣ୍ଡାଦାନ ପାଇଁ ମା’ମାଛ କୂଳକୁ ଆସିଥାନ୍ତି। ଏହି ସମୟରେ ମାଛ ଧରିଲେ ମା’ଓ ଯାଅଁଳ ମାଛ କ୍ଷତିଗ୍ରସ୍ତ ହେବେ। ମାଛ ବଂଶ ବଢ଼ିଲେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଫାଇଦା ମିଳିବ ବୋଲି ସେ କୁହନ୍ତି। ପାରାଦୀପ ମାଛଧରାବନ୍ଦର ଭିତରେ ଏତେ ଗୁଡିଏ ଲୋକଙ୍କ କାରବାର ପାଇଁ ସବୁବେଳେ ଗହଳ ଚହଳ ରହିଥାଏ। ଏବେ ୨ମାସ ସେଠାରେ ଖାଁ ଖାଁ ପରିବେଶ ଦେଖାଦେବ।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!