ଭୁବନେଶ୍ୱର,୨ା୧୧ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ରାଜ୍ୟର ୧୩ଟି ଜିଲାର ୪୪ଟି ତହସିଲରେ ନୂଆ ସବ୍ରେଜିଷ୍ଟ୍ରେଶନ ବା ଉପନିବନ୍ଧନ କାର୍ଯ୍ୟାଳୟ ଆଭାସି ଜରିଆରେ ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପର୍ଯ୍ୟାୟକ୍ରମେ ରାଜ୍ୟର ସବୁ ତହସିଲରେ ସବ୍ରେଜିଷ୍ଟ୍ରେଶନ ଅଫିସ୍ ଖୋଲାଯିବ। ସରକାରୀ ସେବା ସୁବିଧାରେ ପାଇବା ହେଉଛି ଲୋକଙ୍କ ଅଧିକାର। ସେମାନଙ୍କୁ ସମ୍ମାନର ସହ ଉତ୍ତମ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି।ଲୋକସେବା ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ରାଜସ୍ବ ରେଜିଷ୍ଟ୍ରେଶନ ଇନ୍ସ୍ପେକ୍ଟର ଜେନେରାଲ ପି. ଅନ୍ବେଷା ରେଡ୍ଡୀଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଆଭାସି ଜରିଆରେ ୧୩ ଜିଲାର ଜିଲାପାଳ, ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ତହସିଲଦାର ଓ ସବ୍ରେଜିଷ୍ଟ୍ରାରମାନେ ଯୋଗଦେଇଥିଲେ। ସୂଚନାଯୋଗ୍ୟ, ରାଜ୍ୟର ସମୁଦାୟ ୩୧୭ ତହସିଲ ମଧ୍ୟରୁ ୨୧୭ ତହସିଲରେ ପୂର୍ବରୁ ସବ୍-ରେଜିଷ୍ଟ୍ରେଶନ ଅଫିସ୍ ଖୋଲାଯାଇଛି। ଅବଶିଷ୍ଟ ୧୦୦ରୁ ଆଜି ୪୪ଟି ସବ୍-ରେଜିଷ୍ଟ୍ରେଶନ ଅଫିସ ଖୋଲାଗଲା। ବାକି ୫୬ଟି ପର୍ଯ୍ୟାୟକ୍ରମେ ଚଳିତବର୍ଷ ଶେଷ ସୁଦ୍ଧା ଖୋଲିବା ପାଇଁ ଯୋଜନା ରଖାଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୧୬ ମାସ ମଧ୍ୟରେ ତାଙ୍କ ସରକାର ପ୍ରଶାସନିକ ବ୍ୟବସ୍ଥାରେ ଅନେକ ସଂସ୍କାର ଆଣିଛନ୍ତି। ସରକାରଙ୍କ ମୂଳ ଲକ୍ଷ୍ୟ ହେଉଛି ଶାସନ ବ୍ୟବସ୍ଥାକୁ ସ୍ବଚ୍ଛ, ପାରଦର୍ଶୀ ଓ ଲୋକାଭିମୁଖୀ କରିବା। ବର୍ତ୍ତମାନ ରାଜ୍ୟ ସରକାର ୩୨ଟି ବିଭାଗର ୪୩୩ଟି ସେବାକୁ ଅନ୍ଲାଇନ ଜରିଆରେ ଯୋଗାଇ ଦେଉଛନ୍ତି। ନିକଟରେ ଜମିଜମା ପଞ୍ଜୀକରଣ ପାଇଁ ସ୍ଲଟ୍ ବୁକିଂ ନିମନ୍ତେ ଇ-ରେଜିଷ୍ଟ୍ରେଶନ ମୋବାଇଲ୍ ଆପ୍ ମଧ୍ୟ ଶୁଭାରମ୍ଭ ହୋଇଛି। ଏଥିରେ ସ୍ଲଟ୍ ବୁକିଂ ସହ ଇସି ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ମଧ୍ୟ ମିଳିପାରୁଛି। ଉଦ୍ଦେଶ୍ୟ ହେଉଛି ଯେତେଦୂର ସମ୍ଭବ ଲୋକଙ୍କୁ ସୁବିଧାରେ ଓ ସହଜରେ ସେବା ଯୋଗାଇବା। ସ୍ମାର୍ଟ ସର୍ଭେଲାନ୍ସ ଜରିଆରେ ସମସ୍ତ ସବ୍-ରେଜିଷ୍ଟ୍ରେଶନ ଅଫିସକୁ ସିସିଟିଭି ଜରିଆରେ ନିରୀକ୍ଷଣ କରାଯାଉଛି। ଏହାଦ୍ୱାରା କର୍ମଚାରୀମାନଙ୍କ ସମୟାନୁବର୍ତ୍ତିତା ଏବଂ ପାରଦର୍ଶିତାକୁ ସୁନିଶ୍ଚିତ କରାଯାଇପାରୁଛି। ଉପନିବନ୍ଧନ କାର୍ଯ୍ୟାଳୟକୁ ଦୁର୍ନୀତିମୁକ୍ତ ଓ ମଧ୍ୟସ୍ଥମୁକ୍ତ କରିବା ଦିଗରେ ଏହି ସ୍ମାର୍ଟ ସର୍ଭିଲାନ୍ସ ବ୍ୟବସ୍ଥା ଖୁବ୍ ଉପଯୋଗୀ ହୋଇପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସବୁ ତହସିଲରେ ସବ୍ ରେଜିଷ୍ଟ୍ରେଶନ ଅଫିସ ଖୋଲିବା ଦ୍ବାରା ଜନସାଧାରଣଙ୍କୁ ଅନେକ ସୁବିଧା ମିଳିପାରିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |