ନବରଙ୍ଗପୁର ,୧୩।୫: ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଏକ ବୁଥ୍ରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ନରସିଂହ ଭତ୍ରା ଝରିଗାଁ ଥାନାରେ ଏତଲା ଦେଇଛନ୍ତି। ଶ୍ରୀ ଭତ୍ରା ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ଦେଉଳକୋନା ଗାଁର ୨୦୪ ନମ୍ବର ବୁଥ୍ରେ ଅନିୟମିତତା ହେଉଥିବା ତଥା ବୁଥ୍ କ୍ୟାପଚରିଂ ପାଇଁ ପ୍ରୟାସ କରାଯାଉଥିବା କଥା ଶୁଣି ସେ ସେଠାକୁ ଯାଇଥିଲେ। ସେହି ସମୟରେ ଦୁର୍ବୃତ୍ତମାନେ ବିଜୁ ଜନତା ଦଳ ଜିନ୍ଦାବାଦ କହି ତାଙ୍କ ବିଧାନସଭା ପ୍ରାର୍ଥୀ ପରିଚୟ ପତ୍ର ଓ ସେ ପିନ୍ଧିଥିବା ସୁନା ଚେନ୍କୁ ଟାଣି ନେଇଥିଲେ। ସେମାନେ ଅସଭ୍ୟ ଭାଷାରେ ଗାଳି କରିବା ସହିତ ତାଙ୍କୁ ଲାତ, ଗୋଇଠା ଓ ବିଧା ମାରି ତଳେ ପକାଇ ତାଙ୍କ ବେକକୁ ଚିପି ଜୀବନରେ ମାରି ଦେବା ପାଇଁ ପ୍ରୟାସ କରିଥିଲେ।ସେପଟେ ବ୍ରହ୍ମପୁରରେ ମତଦାନ ସମୟରେ ମଧ୍ୟ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଯାଇଛି । ଏଠାରେ ୨ ଜଣ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ କରାଯାଇଥିବା ଜାଣିବାକୁ ମିଳିଛି । ମହମଡାନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ବୁଥରେ ଥିବାବେଳେ କିଛି ଦୁର୍ବୃତ୍ତ ଅଚାନକ ୨ ଜଣ ବିଜେପି ଏଜେଣ୍ଟଙ୍କ ଉପରେ ଆକ୍ରମଣ କରିଛନ୍ତି । ତେବେ ଏହା ବିପକ୍ଷ ଦଳର ଚକ୍ରାନ୍ତ ବୋଲି ଅଭିଯୋଗ ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |