ରବିବାର ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ସାମୁଦ୍ରିକ ଝଡ଼ ‘ରେମାଲ’

ଭୁବନେଶ୍ୱର,୨୫ା୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ୨୬ ତାରିଖ (ରବିବାର) ରାତିରେ ପଶ୍ଚିମବଙ୍ଗ ଓ ବାଂଲାଦେଶର ସଂଲଗ୍ନ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଦକ୍ଷିଣ- ଦକ୍ଷିଣ ପୂର୍ବ ସାଗର ଦ୍ୱୀପ ଠାରୁ ୩୮୦ କିଲୋମିଟର ଏବଂ ବାଂଲାଦେଶ ଖେପୁପାରା ଠାରୁ ୪୯୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି।ଏହା କ୍ରମଶଃ ତୀବ୍ର ହୋଇ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ। ଆସନ୍ତାକାଲି ସା ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହୋଇ ସାଗରଦ୍ୱୀପ ଓ ଖେପୁପରା ମଝିରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି।ଏହାର ପ୍ରଭାବରେ ଉତ୍ତର ଓ ଉପୂକଳ ଓ କେତେକ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ସମ୍ଭାବ୍ୟ ବାତ୍ୟା ନେଇ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଜିଲାର ଜିଲାପାଳମାନଙ୍କୁ ସତର୍କ ରହିବା ପାଇଁ ସୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।ସେହିପରି ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ୨୬ରୁ ୨୭ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବ ଏବଂ ୨୭ ତାରିଖରେ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ପଶ୍ଚିମବଙ୍ଗର ଦକ୍ଷିଣ ଏବଂ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ସ୍ଥାନୀୟ ବନ୍ୟା ଏବଂ ସମ୍ବେଦନଶୀଳ ନିର୍ମାଣ, ବିଦ୍ୟୁତ୍‌ ଓ ଯୋଗାଯୋଗ ଲାଇନ୍‌, କଚ୍ଚା ରାସ୍ତା, ଫସଲ ଏବଂ ବଗିଚାରେ ବ୍ୟାପକ କ୍ଷୟକ୍ଷତି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଦେଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!