ଭୁବନେଶ୍ୱର,୧୨ା୬ :ଆଜି ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଓ ନବ ନିର୍ବାଚିତ ମନ୍ତ୍ରିମଣ୍ଡଳ ଶପଥ ସମାରୋହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଆସୁଛନ୍ତି। ଶପଥ ଗ୍ରହଣ ସମାରୋହରେ ଜନତା ମଇଦାନରେ ପ୍ରାୟ ୩୦ ହଜାର ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏଥିନିମନ୍ତେ ଅପରାହ୍ଣ ୨ଟାରୁ ରାତି ୭ଟା କିମ୍ୱା ଶପଥ ଗ୍ରହଣ ସମାରୋହ ସରିବା ଯାଏ ଜୟଦେବ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ ରାସ୍ତାର ଉଭୟ ପଟେ ଗାଡ଼ି ଚଳାଚଳ ଉପରେ ବାରଣ କରାଯାଇଛି। ଏହି ୫ ଘଣ୍ଟା ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହାକୁ ସଂଯୋଗ କରୁଥିବା ଗଳି ରାସ୍ତାଦେଇ କୌଣସି ପ୍ରକାରର ଯାନବାହନ ଯାତାୟତ କରିପାରିବ ନାହିଁ।ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି। ଗାଡି ପାର୍କିଂ ଓ ଜନସାଧାରଣ ଯାତାୟାତ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ବୁଧବାର ସକାଳ ୯ରୁ ସା ୭ଟା ଯାଏ ଅର୍ଥାତ୍ ଶପଥ ସମାରୋହ ଶେଷ ହେବା ପର୍ଯ୍ୟନ୍ତ ଜୟଦେବ ବିହାର ଛକଠାରୁ ନାଲ୍କୋ ଛକ ଏବଂ ଏହାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତା ଦେଇ କୌଣସି ଯାନବାହନ ଯାତାୟାତ କରିପାରିବ ନାହିଁ। ସେହିଭଳି ଉତ୍ସବରେ ଯୋଗଦେବାକୁ ଆସୁଥିବା ନେତା, କର୍ମୀ ଓ ସାଧାରଣ ଲୋକଙ୍କ ଗାଡି ପାଇଁ ରୁଟ୍ ଚାର୍ଟ କରାଯାଇଛି। କଟକ ପାର୍ଶ୍ୱରୁ ଆସୁଥିବା ବସ୍ଗୁଡିକ ରସୁଲଗଡ ରେଲ୍ୱେ ଓଭରବ୍ରିଜଠାରୁ ସର୍ଭିସ୍ ରୋଡ୍ରେ ଯିବ। ଏହାପରେ ବସ୍ଗୁଡିକ ଆଚାର୍ଯ୍ୟ ବିହାରରୁ ଆପୋଲୋ ହସ୍ପିଟାଲ ଓ ସୈନିକ ସ୍କୁଲ ରାସ୍ତା ଦେଇ ଓଏସ୍ଏପି ୭ମ ବାଟାଲିଅନ୍ ପଡିଆ ଗେଟ୍ ପାଖରେ ଯାତ୍ରୀମାନଙ୍କୁ ଓହ୍ଲାଇବ। ପରେ ଗାଡିଗୁଡିକ କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ଯାଇ ରେଲୱେ କଲୋନି ଗୋଲେଇ ଛକଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ଗୋଟିଏ ଲାଇନ୍ରେ ପାର୍କିଂ କରିବେ। ସେହିପରି ଖୋର୍ଦ୍ଧା ପାର୍ଶ୍ୱରୁ ଆସୁଥିବା ବସ୍ଗୁଡିକ ମଧ୍ୟ ଆଚାର୍ଯ୍ୟବିହାରରେ ପହଞ୍ଚତ୍ ସେଠାରୁ ଆପୋଲୋ ହସ୍ପିଟାଲ ରାସ୍ତାରେ ଯାଇ ସମାନ ଭାବେ ପାର୍କିଂ କରିବ। ଅନ୍ୟପକ୍ଷରେ ନନ୍ଦନକାନନ ପଟୁ ଆସୁଥିବା ବସ୍ଗୁଡିକ ଓମ୍ଫେଡ୍ ଛକ ଦେଇ ଓଏସ୍ଏପି ୭ମ ବାଟାଲିଅନ୍ ପଡିଆ ଗେଟ୍ ପାଖରେ ଯାତ୍ରୀଙ୍କୁ ଓହ୍ଲାଇ ରେଲୱେ କଲୋନୀ ଗୋଲେଇ ଛକଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ପାର୍କିଂ କରିବେ। ସେହିପରି କଟକ ଓ ଖୋର୍ଦ୍ଧା ପଟୁ ଆସୁଥିବା ଚାରିଚକିଆ ଯାନଗୁଡିକ ଆଚାର୍ଯ୍ୟବିହାର ହୋଇ ଯିବା ପରେ ଦୂରଦର୍ଶନ ଲେନ୍ରେ ଯାତ୍ରୀମାନଙ୍କୁ ଓହ୍ଲାଇ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ। ନନ୍ଦନକାନ ପଟୁ ଆସୁଥିବା ଚାରିଚକିଆ ଯାନଗୁଡିକ ଓମ୍ଫେଡ ଛକ ଦେଇ ଯିବା ସହ ଓଏସ୍ଏପି ୭ମ ବାଟାଲିଅନ୍ ପଡିଆ ଗେଟ୍ ପାଖରେ ଯାତ୍ରୀମାନଙ୍କୁ ଓହ୍ଲାଇ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ। ତେବେ ଓଏସ୍ଏପି ୭ମ ବାଟାଲିଅନ୍ ପଡିଆ ଗେଟ୍ ପାଖରେ ଓହ୍ଲାଉଥିବା ଲୋକମାନେ କ୍ୟାମ୍ପସ ଭିତର ରାସ୍ତା ଦେଇ ଯିବା ସହ ଜନତା ମଇଦାନ ୩ ନଂ. ଗେଟ୍ରେ ପ୍ରବେଶ କରିବେ। ସେହିପିର ଦୂରଦର୍ଶନ ଲେନ୍ରେ ଓହ୍ଲାଉଥିବା ଲୋକମାନେ ଜନତା ମଇଦାନର ୬ନମ୍ବର ଗେଟ ଦେଇ ସଭାସ୍ଥଳୀକୁ ପ୍ରବେଶ କରିପାରିବେ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |