ପୁରୀ, ୨୩।୬:ଆଜିଠାରୁ ଅଲାରନାଥ ପୀଠରେ ହେବ ଅନବସର ଦର୍ଶନ । ସମସ୍ତ ଭକ୍ତମାନେ ୧୩ ଦିନ ଧରି କରିପାରିବେ ଦର୍ଶନ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଅଲାରନାଥ ପୀଠ । ଶନିବାର ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ବେଦୀରେ ଦିବ୍ୟସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି । ଅଣସର ଘରେ ଚାଲିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ନୀତି। ସେଥିପାଇଁ ରତ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ପାଇ ପାରିବେନି ଶ୍ରଦ୍ଧାଳୁ। ଏହି ସମୟରେ ସେମାନଙ୍କ ସ୍ଥାନରେ ପୂଜା ପାଇବେ ପଟ୍ଟି ଦିଅଁ। ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ପଟ୍ଟି ଦିଅଁ ଭାବେ ପୂଜା ପାଇବେ। ଏଥିପାଇଁ ବିଳମ୍ବିତ ରାତିରେ ପଟ୍ଟି ଦିଅଁ ଓ ଅନ୍ୟ ଦେବାଦେବୀ– ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ, କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟ୍ଟି ଦିଅଁ ବି ଶ୍ରୀମନ୍ଦିରକୁ ବିଜେ କରିଛନ୍ତି। ଅନ୍ୟପଟେ ବିଳମ୍ବିତ ରାତିରେ ବାହୁଡ଼ା ପହଣ୍ଡି ଶେଷ ପରେଶ୍ରୀଜିଉଙ୍କ ସୁନାଚିତା ଓ ରାହୁଲେଖା ମଇଲମ ନୀତି ଅନୁଷ୍ଠିତ ହୋଇଛି। ଏହି ଅନବସର ସମୟରେ ଶ୍ରୀଜିଉମାନେ ଶ୍ୱେତ ବସ୍ତ୍ର ଧାରଣ କରିବାର ବିଧି ରହିଥିବା ବେଳେ ତୁଳସୀ ମଧ୍ୟ ଲାଗି କରାଯାଇନଥାଏ । ଏହି ୧୩ ଦିନ ମହାପ୍ରଭୁଙ୍କୁ କେବଳ ଧଳା ଫୁଲ ଲାଗି କରାଯାଏ । ଏହା ସହ ମହାପ୍ରଭୁଙ୍କ ପାଖରେ ଚକଟା ଏବଂ ପଣା ଭୋଗ କରାଯିବାର ପରମ୍ପରା ରହିଛି । ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ନପାଇ ୧୩ ଦିନ ପଟ୍ଟିଦିଅଁଙ୍କୁ ଦର୍ଶନ କରିବେ । ଦଶାବତାର ଠାକୁରଙ୍କ ସମେତ ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବଦଳରେ ଅନନ୍ତ ନାରାୟଣ ଏବଂ ଦେବୀ ସୁଭଦ୍ରାଙ୍କ ବଦଳରେ ମା’ ଭୁବନେଶ୍ୱରୀ ପଟ୍ଟିଦିଅଁ ଭାବେ ପୂଜା ପାଇଥାନ୍ତି । ଦଇତାପତିମାନେ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କୁ ଗୁପ୍ତ ଉପଚାର ସହ ଗୁପ୍ତ ସେବା କରୁଛନ୍ତି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |