ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ , ଅଟକିଥିବା ରଥ ପୁଣି ଗଡିଲା

ପୁରୀ,୮।୯: ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ। ଗତକାଲି ବଡଦାଣ୍ଡରେ ଅଟକି ରହିଥିବା ୩ ରଥକୁ ଆଜି ପୁଣି ଗଡିଲା । ବଡ଼ଦାଣ୍ଡରେ ସୋମବାର ସକାଳୁ ପୁଣି ରଥଟଣା ଆରମ୍ଭ ହୋଇଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମରିଚୀକୋଟ ଛକ ନିକଟରେ ଅଟକିଥିବା ତାଳଧ୍ୱଜ ରଥକୁ ଟାଣିନେଉଛନ୍ତି। ଏହାପରେ ଦର୍ପଦଳନ ଏବଂ ନନ୍ଦିଘୋଷ ରଥ ଟଣାହେବ।ଆଗେ ଆଗେ ଯାଉଛନ୍ତି ବଡ଼ ଭାଇ ବଳଭଦ୍ର। ପଛେପଛେ ଆସୁଛି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ। ଶେଷରେ ନନ୍ଦିଘୋଷ ରଥରେ ଆସୁଛନ୍ତି କାଳିଆ ସାଆନ୍ତ। ରଥରେ ୩ ଠାକୁରଙ୍କୁ ପାଇ ଭାବବିହ୍ୱଳ ହୋଇପଡ଼ିଛନ୍ତି ଭକ୍ତ। ଘଣ୍ଟଘଣ୍ଟା, ବାଦ୍ୟରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ।ଦୀର୍ଘ ୫୩ ବର୍ଷ ପରେ ବିରଳ ସଂଯୋଗ କ୍ରମେ ଚଳିତବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିବାରୁ ଶ୍ରୀକ୍ଷେତ୍ର ଭକ୍ତମୟ ହୋଇପଡ଼ିଛି।ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଘର୍‌ ଘର୍‌ ନାଦ ଦେଇ ତିନିରଥ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଥିଲା। ତେବେ ସନ୍ଧ୍ୟା ହୋଇଯିବାରୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମରୀଚିକୋଟ ଛକ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ରାଜନଅର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ କିଛିବାଟ ଗଡ଼ି ଶ୍ରୀମନ୍ଦିର ନିକଟରେ ଅଟକି ରହିଥିଲା। ସିଂହଦ୍ୱାର ଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକିଛନ୍ତି କାଳିଆ ସାଆନ୍ତ। ରାଜନଅର ସମ୍ମୁଖରେ ଅଟକି ରହିଛି ସୁଭଦ୍ରାଙ୍କ ଦର୍ପଦଳନ। ମରିଚିକୋଟ ଛକରେ ଅଟକି ରହିଛି ବଳଭଦ୍ରଙ୍କ ତାଳଧ୍ୱଜ ରଥ। ଏଥିପାଇଁ ଲୋକାରଣ୍ୟ ହୋଇଛି ପୁରୀ ବଡ଼ଦାଣ୍ଡ। ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତି ଓ ଭାବରେ ଭିଜୁଛି ଶ୍ରୀକ୍ଷେତ୍ର। ପୁରୀରେ ଦେଶ ତଥା ବିଦେଶରୁ ଭକ୍ତଙ୍କ ସମାଗମ ହୋଇଛି।୫ ଦଶନ୍ଧି ପରେ ଏଥର ଏକାଦିନେ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ଭଳି ବିରଳ ସଂଯୋଗ ପଡୁଥିବାରୁ ଏଥର ଦୁଇଦିନିଆ ରଥଟଣା|ଗତକାଲି ନିର୍ଦ୍ଧାରିତ ସମୟ ପ୍ରାୟ ୨ ଘଣ୍ଟା ଆଗରୁ ଆରମ୍ଭ ହୋଇଯାଇଥିଲା ତିନି ଠାକୁରଙ୍କ ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର। ପଛେ ପଛେ ମା’ ସୁଭଦ୍ରା, ଆଉ ଶେଷରେ ଟାହିଆର ଅପୂର୍ବ ଦୋଳନରେ ସୁନ୍ଦର ପଦ ଓ ହୁନ୍ଦର ଗତିରେ ନନ୍ଦିଘୋଷ ରଥକୁ ବିଜେ କରିଥିଲେ ଜଗତର ଠାକୁର ଜଗନ୍ନାଥ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ତା’ପରେ ଘୋଷଯାତ୍ରାର ଅନନ୍ୟ ପରମ୍ପରା ଛେରପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରପହଁରା ସହ ବନ୍ଦାପନା କରିଥିଲେ ଗଜପତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!