ପୁରୀ, ୧୬ା୭ :ଦୀର୍ଘ ୪୬ ବର୍ଷ ପରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିଛି। ଆଜି ପୁଣି ଥରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ସଂପର୍କୀତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ସଦସ୍ୟ ଡାକ୍ତର ସିବିକେ ମହାନ୍ତିଙ୍କ ସମେତ ଅନ୍ୟ କମିଟି ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ଏହାଛଡ଼ା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ର ପ୍ରମୁଖ ବି ଯୋଗ ଦେଇଛନ୍ତି। ଆଜିର ଏହି ବୈଠକରେ ରତ୍ନଭଣ୍ଡାର ଆଉ କେବେ ଖୋଲିବ ଏବଂ ଏସଓପି ନେଇ ଆଲୋଚନା ହେଉଥିବା ସୂଚନା ରହିଛି।ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏସ୍ଓପି ଅନୁସରଣ କରାଯାଇଥିଲା। ତେବେ ଭିତର ରତ୍ନଭଣ୍ଡାର ତାଲା ଜିଲା ଟ୍ରେଜେରିରୁ ଆସିଥିବା ଚାବିରେ ନ ଖୋଲିବାରୁ ଏସ୍ଓପି ଅନୁଯାୟୀ ଉକ୍ତ ତାଲାକୁ କଟାଯାଇ ନୂତନ ତାଲା ପକାଯାଇଛି। ଅପରପକ୍ଷରେ ସମୟ ଅଭାବ କାରଣରୁ ଭିତର ରତ୍ନଭଣ୍ଡାରରେ ଥିବା ଅଳଙ୍କାରକୁ କମିଟି ଅନୁଧ୍ୟାନ ନ କରି ରଥ ପରେ ଏକ ବୈଠକ କରି ଅନ୍ୟ ଏକ ତାରିଖରେ ଭିତର ରନତ୍ଭଣ୍ଡାର ତଦାରଖ କରାଯିବା ସହ ଅଳଙ୍କାରଗୁଡିକ ସ୍ଥାନାନ୍ତର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଫଳରେ କବାଟରେ ନୂତନ ତାଲା ପକାଇ ସିଲ୍ କରାଯାଇଛି। ତେବେ ଏନେଇ ବିିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି ।ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମହାପ୍ରଭୁ୍ଙ୍କ ରଥଯାତ୍ରା ପରେ ଖୁବ୍ଶୀଘ୍ର ଭିତର ରତ୍ନଭଣ୍ଡାର ଖୋଲିବ ଓ ଅଳଙ୍କାର ସ୍ଥାନାନ୍ତର ନେଇ ତାରିଖ ଘୋଷଣା ହେବ। ଅଳଙ୍କାର ସ୍ଥାନାନ୍ତର ହେବା ପରେ ଗଣତି ମଣତି କରାଯିବ। ଏହା ପରେ ତଦନ୍ତ କରାଯିବା ନେଇ ଆଲୋଚନା କରାଯିବ। ଡୁପ୍ଲିକେଟ ଚାବି କେଉଁଠାରୁ ଆସିଲା, ତାହା ତଦନ୍ତସାପେକ୍ଷ ଓ କାହଁିକି ଡୁପ୍ଲିକେଟ ଚାବି କୁହାଯାଉଥିଲା ତାହା ମଧ୍ୟ ଯାଞ୍ଚ କରାଯିବା ଦରକାର । କାରଣ ତାଲାକୁ ଦେଖିଲେ ସେ ଚାବି ଆକାର ଠିକ୍ ନ ଥିଲା, ଯାହା ଦେଖିବା ମାତ୍ରେ ଜଣାପଡୁଥିଲା କି ସେହି ତାଲାର ଚାବି ତାହା ନୁହେଁ । ତେବେ ଏ ଘଟଣାର ତଦନ୍ତ ହେବା ପରେ ସମସ୍ତ ଘଟଣା ଜଣାପଡ଼ିବ ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରି କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |