ଆଜି ମହାପ୍ରଭୁଙ୍କ ପବିତ୍ର ଅଧରପଣା

ପୁରୀ,୧୮।୭ :ଆଜି ମହାପ୍ରଭୁଙ୍କ ପବିତ୍ର ଅଧରପଣା ନୀତି। ସନ୍ଧ୍ୟା ବେଳେ ରଥାରୁଢ଼ ଠାକୁରଙ୍କ ପାଖରେ ଲାଗି ହେବ ଅଧରପଣା। ଏଥିପାଇଁ ପ୍ରତି ରଥରେ ଶ୍ରୀଜିଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ କରାଯାଇଥାଏ। ବଡ଼ଦାଣ୍ଡକୁ ଅବତରଣ ପରେ ମହାପ୍ରଭୁଙ୍କ ଦର୍ଶନ ସହ ମୁକ୍ତି ପାଇଁ ଚଣ୍ଡୀଚାମୁଣ୍ଡା, ଅଶରୀରୀମାନେ ଘୁରି ବୁଲୁଥାନ୍ତି। ସେଇମାନଙ୍କୁ ତୃପ୍ତ କରିବା ପାଇଁ ଶୁକ୍ରବାର ଆଷାଢ଼ ଶୁକ୍ଳ ଦ୍ବାଦଶୀ ଜ୍ୟେଷ୍ଠ ନକ୍ଷତ୍ର ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସଂପନ୍ନ ହେବ। ଚତୁର୍ଦ୍ଧା ବିଗ୍ରହଙ୍କଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ଅଧରପଣା ହାଣ୍ଡିକୁ ଭାଙ୍ଗି ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ତିନିଠାକୁରଙ୍କଠାରେ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ। ଏଥିପାଇଁ ସ୍ବତନ୍ତ୍ର ଅଧରହାଣ୍ଡି ପ୍ରସ୍ତୁତ ହୋଇଥିବା ବେଳେ ଗୁରୁବାର ଶ୍ରୀଜିଉଙ୍କ ଅଧର ଉଚ୍ଚର ଏହି ତିନି ଅଧରହାଣ୍ଡି ରଥ ପାଖକୁ ବିଜେ କରିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି।ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀରେ ପ୍ରସ୍ତୁତ ୯ଟି  ଅଧର ହାଣ୍ଡିକୁ ରଥରେ ଥିବା ପାର୍ଶ୍ବ ଦେବଦେବୀ ଓ ଚଣ୍ଡି ଚାମଣ୍ଡାଙ୍କ ତୃପ୍ତି ଉଦ୍ଦେଶ୍ୟରେ ଭଙ୍ଗାଯାଇଥାଏ। ଆଜି ରାତି ୮ଟାରେ ଅଧରପଣା ନୀତି ଶେଷ ହେବ। ଏହା ପରେ ରାତି ୯ଟାରେ ମହାସ୍ନାନ ଓ ପରେ ରାତି ୧୦ଟାରେ ମଇଲମ ଓ ବେଶ ହେବ। ରାତି ସାଢ଼େ ୧୦ଟାରେ ସଂଧ୍ୟା ଆଳତି ହୋଇ ଅନ୍ୟାନ୍ୟ ନୀତିକାନ୍ତି କରାଯିବ।ଆଜି ପହୁଡ଼ ନୀତି ସଂପନ୍ନ ପରେ ଗୁରୁବାର ସକାଳ ୬ଟାରୁ ସାଢ଼େ ୬ଟା ଭିତରେ ମଙ୍ଗଳଆଳତି ନୀତି ସଂପନ୍ନ ହେବ। ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶଶେଷ, ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ଟା ଭିତରେ ଗୋପାଳବଲ୍ଲଭ, ସାଢ଼େ ୧୧ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଭିତରେ ସକାଳ ଧୂପ, ଅପରାହ୍ଣ ଗୋଟାଏରେ ମଇଲମ, ସାଢ଼େ ଗୋଟାଏରେ ମହାସ୍ନାନ ଓ ସର୍ବାଙ୍ଗ, ୨ଟାରେ ବେଶ ଶେଷ ହେବ। ଅପରାହ୍ଣ ସାଢ଼େ ୩ଟାରୁ ସାଢ଼େ ୪ଟା ଭିତରେ ମଧ୍ୟାହ୍ନ ଧୂପ ଶେଷ ହେବ। ପରେ ଅଧରପଣା ନୀତି ଆରମ୍ଭ ହେବ। ରାତି ୮ଟା ସୁଦ୍ଧା ତିନିରଥରେ ଅଧରପଣା ନୀତି ଶେଷ ପରେ ୯ଟା ସୁଦ୍ଧା ମହାସ୍ନାନ ଶେଷ ହେବ। ପରେ ରାତି ୧୦ଟାରେ ମଇଲମ ଓ ବେଶ, ସାଢ଼େ ୧୦ଟାରେ ସନ୍ଧ୍ୟା ଆଳତି, ରାତି ୧୧ଟାରୁ ୧୨ଟା ଭିତରେ ସନ୍ଧ୍ୟା ଧୂପ, ସାଢ଼େ ୧୨ଟାରେ ମଇଲମ ଓ ଚନ୍ଦନ ଲାଗି, ରାତି ଗୋଟାଏରେ ବଡ଼ସିଂହାର ବେଶ, ରାତି ସାଢ଼େ ଗୋଟାଏରେ ବଡ଼ସିଂହାର ଭୋଗ ଓ ରାତି ୨ଟାରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!