ପୃଥିବୀ ମା’ର ସୁରକ୍ଷା ପାଇଁ ଚାରାଟିଏ ରୋପଣ କରନ୍ତୁ;ବାଚସ୍ପତି
ଭୁବନେଶ୍ୱର,୨୨ା୭;ରାଜ୍ୟରେ ସବୁଜ ବଳୟ ସୃଷ୍ଟି କରିବା ସହିତ ପୃଥିବୀକୁ ସୁରକ୍ଷିତ ରଖିବା ଏବଂ ଜୀବଜଗତକୁ ସୁରକ୍ଷା ଦେବା ପାଇଁ ଇଗ୍ନାଇଟିଂ ମାଇଣ୍ଡସ୍, ପ୍ରେରଣା ଗ୍ରିନ୍ ଆର୍ମି ଓ ଆଲାଟିକ୍ ଅନୁଷ୍ଠାନ ପକ୍ଷରୁ ଚଳିତବର୍ଷ ରାଜ୍ୟରେ ୧ କୋଟି ଚାରା ବିଭିନ୍ନ ସ୍ଥାନରେ ରୋପଣ କରାଯିବାର ଯୋଜନା ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ଚାରାରୋପଣ କରି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଥିଲେ,ଯେ, ପ୍ରଧାନମନ୍ତ୍ରୀ ମା’ ପାଇଁ ଗଛଟିଏ ଲଗାଇବା ପାଇଁ ଆହ୍ବାନ ଦେଇଛନ୍ତି । ଏହାଦ୍ବାରା ନିଜ ମା’ ସୁରକ୍ଷିତ ରହିବା ସହିତ ପୃଥିବୀ ମା’ ମଧ୍ୟ ସୁରକ୍ଷିତ ରହିବ। ଫଳରେ ପୃଥିବୀ ପୃଷ୍ଠରେ ଥିବା ସମସ୍ତ ଜୀବଜଗତ ସୁରକ୍ଷିତ ରହିବେ, ତେଣୁ ମା’ର ସୁରକ୍ଷା ପାଇଁ ଚାରାଟିଏ ରୋପଣ କରନ୍ତୁ।
ପ୍ରେରଣା ଗ୍ରିନ୍ ଆର୍ମିର ମୁଖ୍ୟ ଡ.ଦିଲୀପ ଶ୍ରୀଚନ୍ଦନଙ୍କ ସଭାପତିରେ ଆଇଆରସି ଭିଲେଜ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥିଭାବେ ପ୍ରାକ୍ତନ ରାଜ୍ୟସଭା ସାଂସଦ ସନ୍ତୋଷ କୁମାର ଯୋଗିନାପଲ୍ଲୀ, ଇଗ୍ନାଇଟିଂ ମାଇଣ୍ଡ୍ସର ପ୍ରତିଷ୍ଠାତା କରୁଣାକର ରେଡ୍ଡୀ ଯୋଗଦେଇ ରାଜ୍ୟରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୧ କୋଟି ଚାରା ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଭାରତବର୍ଷର ବିଭିନ୍ନ ସ୍ଥାନରେ କରାଯାଉଥିବା ଏହି କାର୍ଯ୍ୟକ୍ରମ ବ୍ୟାପକ ଭାବରେ କରାଯାଉଛି। ଏହି ଅଭିଯାନ ‘ପୃଥିବୀକୁ ଥଣ୍ଡା କର, ପ୍ରାଣବନ୍ତ କର’ ବୋଲି ଆରମ୍ଭ କରାଯାଇଛି।
କାର୍ଯ୍ୟକ୍ରମ ଆରମ୍ଭରେ ଇଗ୍ନାଇଟିଂ ମାଇଣ୍ଡ୍ସର ପାଟ୍ରୋନ ପ୍ରଫେସର ଡ.ପ୍ରଫୁଲ୍ଲ କୁମାର ଧଳ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ଦେଇ ବହୁଳମାତ୍ରାରେ ଚାରାରୋପଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ଜଳର ଅପବ୍ୟବହାର ନକରି ସଦୁପଯୋଗ କରିବାକୁ ବାଚସ୍ପତି ଶ୍ରୀମତୀ ପାଢ଼ୀ ସମସ୍ତଙ୍କୁ ଶପଥପାଠ କରାଇଥିଲେ। ପରିଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |