ନୂଆଦିଲ୍ଲୀ,୨୬।୭: ପ୍ୟାରିସ ଅଲିମ୍ପିକ୍ସର ଶୁଭ ଉଦଘାଟନର କିଛିସମୟ ପୂର୍ବରୁ ଫ୍ରାନ୍ସରେ ହିଂସା ଦେଖିବାକୁ ମିଳିଛି ।ଫ୍ରାନ୍ସର ରାଜଧାନୀ ପ୍ୟାରିସଠାରେ ଅଲିମ୍ପିକ୍ସ କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ଏଥିରେ ବାଧାଦେବାକୁ ଆରମ୍ଭ ହୋଇଛି ଉଦ୍ୟମ। ଫ୍ରାନ୍ସର ଦ୍ରୁତଗାମୀ ରେଳ ନେଟଓ୍ବର୍କ ଉପରେ ହୋଇଛି ସାଇବର ଆକ୍ରମଣ। ଯେଉଁଥିପାଇଁ ଦେଶରେ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ସହରରୁ ଅଲିମ୍ପିକ୍ସ କ୍ରୀଡ଼ାର ଉଦଘାଟନ ସମାରୋହ ଦେଖିବାକୁ ଯାତ୍ରୀମାନେ ପ୍ୟାରିସ ଆସିବା ଲାଗି ଷ୍ଟେସନଗୁଡ଼ିକରେ ଅଟକି ରହିଛନ୍ତି। ପୂର୍ବରୁ ଅଲିମ୍ପିକ୍ସରେ ରକ୍ତପାତ ହେବା ନେଇ ହମାସ ଆତଙ୍କବାଦୀ ସଂଗଠନ ପକ୍ଷରୁ ଧମକ ଦିଆଯାଇଥିବାବେଳେ ଉଦଘାଟନୀ ସମାରୋହ ଦିନ ରେଳ ନେଟଓ୍ବର୍କ ବାଧାପ୍ରାପ୍ତ ହେବା ଆୟୋଜକଙ୍କୁ ଅଡୁଆରେ ପକାଇଛି।ଫ୍ରାନ୍ସର ଜାତୀୟ ରେଳ ପରିଚାଳକ କହିଛନ୍ତି ଯେ, କୌଣସି ପ୍ରକାର ମାଲିସିଅସ ଆକ୍ଟ ଯୋଗୁ ରେଳ ନେଟଓ୍ବର୍କ ବାଧାପ୍ରାପ୍ତ ହୋଇଛି। କେବଳ ଘରୋଇ ଟ୍ରେନ ନୁହେଁ, ପଡ଼ୋଶୀ ବେଲଜିୟମ ଏବଂ ଲଣ୍ଡନରୁ ଚ୍ୟାନେଲ ଟନେଲ ଦେଇ ଆସିବାକୁ ଥିବା ଟ୍ରେନ ବି ବାଧାପ୍ରାପ୍ତ ହୋଇଛି। ସରକାରଙ୍କ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଫ୍ରାନ୍ସର ପଶ୍ଚିମାଞ୍ଚଳ, ଉତ୍ତରାଞ୍ଚଳ ଏବଂ ପୂର୍ବାଞ୍ଚଳରେ ରେଳ ସେବା ଅଧିକ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ସହରରେ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ କରାଯାଉଥିବାବେଳେ ରେଳ ନେଟଓ୍ବର୍କ ପ୍ରଭାବିତ ହେବା ସରକାର ଏବଂ ଆୟୋଜକଙ୍କୁ ଚିନ୍ତାରେ ପକାଇଛି।ପ୍ୟାରିସ ଅଲିମ୍ପିକ୍ସର ଶୁଭ ଉଦଘାଟନର କିଛିସମୟ ପୂର୍ବରୁ ଏଭଳି ଆକ୍ରମଣ କାହିଁକି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |