ରାଜନଗର,୧।୮: ତିନି ମାସ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତର କନିକା ଜାତୀୟ ଉଦ୍ୟାନ। ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ କାରଣରୁ ଭିତରକନିକାକୁ ବନ୍ଦ ରଖାଯାଇଥିଲା। ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମଇ ୧ରୁ ଜୁଲାଇ ୩୧ ଦୀର୍ଘ ୩ ମାସ ଧରି ଭିତରକନିକା ବନ୍ଦ ରହିଥାଏ। ଏହି ସମୟରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିତରକନିକାରେ ପ୍ରବେଶ ଉପରେ କଟକଣା ଥାଏ। ଆଜିଠାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନକୁ ଖୋଲାଯାଇଛି। ଏଥିପାଇଁ ବନବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବାକୁ ହେଲେ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ପର୍ଯ୍ୟଟକମାନେ ଗୁପ୍ତି, ଚାନ୍ଦବାଲି, ଖୋଳା ଓ ଡାଙ୍ଗମାଳ ପ୍ରଭୃତି ୪ଟି ପ୍ରବେଶ ପଥ ଦେଇ ଭିତରକନିକା ମଧ୍ୟକୁ ପ୍ରବେଶ କରିପାରିବେ। ଭିତରକନିକାରେ ପର୍ଯ୍ୟଟକମାନେ ଜଳପଥରେ ବଉଳା କୁମ୍ଭୀର, ଦେଶୀ ଓ ବିଦେଶୀ ପକ୍ଷୀ, ହରିଣ, ବାର୍ହା, ସମ୍ବର, ଝିଙ୍କ ଆଦି ନାନା ପଶୁପକ୍ଷୀ ଓ ମ୍ୟୁଜିୟମ ଦେଖିବା ସହ ବନବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପ୍ରଥମ ସ୍କାଏ ୱାକ୍ ବ୍ରିଜ, ୱାଚ୍ ଟାଓା୍ୱର, ସେଲ୍ଫଫି ପଏଣ୍ଟ, ମ୍ୟାନଗ୍ରୁଭ ମେଟା ନର୍ସରୀ, ବୋଟ ଲାଇବ୍ରେରୀ, ସହିଦ ସ୍ତମ୍ଭ, କୁମ୍ଭୀର ପ୍ରଜନନ କେନ୍ଦ୍ର ଆଦି ଦେଖିପାରିବେ। ଯନ୍ତ୍ରଚାଳିତ ବୋଟ ସହ ବନବିଭାଗ ତରଫରୁ ଡାଙ୍ଗମାଳ ଓ ଗୁପ୍ତି ଠାରେ ରହିଥିବା ଫାଇବର ବୋଟରେ ମଧ୍ୟ ପର୍ଯ୍ୟଟକମାନେ ବୁଲି ଭିତରକନିକାର ନୈସର୍ଗିକ ଶୋଭା ଉପଭୋଗ କରିପାରିବେ। ଚଳିତବର୍ଷ ଭିତରକନିକାକୁ ସମ୍ପୂର୍ଣ୍ଣ ଭାବେ ପଲିଥିନମୁକ୍ତ କରାଯାଇଛି। ପର୍ଯ୍ୟଟକମାନେ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଜାତୀୟ ଉଦ୍ୟାନ ମଧ୍ୟକୁ ନଆଣି ବନବିଭାଗ ପକ୍ଷରୁ ନିବେଦନ କରାଯାଇଛି।ପର୍ଯ୍ୟଟକମାନଙ୍କୁ ନିଆରା ଅନୁଭୂତି ଦେବାପାଇଁ ଚଳିତବର୍ଷ ଡାଙ୍ଗମାଳ ଠାରେ ୧୫ ଫୁଟ ଉଚ୍ଚରେ ବନ ବିଭାଗ କରିଛି ସ୍କାଏ ୱlକ୍। ଏହାର ଲମ୍ବ ୬୦୦ ମିଟର ରହିଛି। ଏହା ଉପର ଦେଇ ଯିବା ବେଳେ ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବା ସହ ଜାତିଜାତିକା ପକ୍ଷୀ, ହରିଣ ଓ ସରୀସୃପମାନଙ୍କୁ ଦେଖିବାକୁ ପାଇବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |