ଆଗାମୀ ୭ ତାରିଖ ବେଳକୁ ଘୁର୍ଣ୍ଣିବଳୟର ସମ୍ଭାବନା ,ହୀରାକୁଦ ଡ୍ୟାମ୍‌ରୁ ଖୋଲିଲା ୪ ଗେଟ୍‌

ଭୁବନେଶ୍ୱର,,୪।୮ :  ସକ୍ରିୟ ରହିଛି ମୌସୁମୀ ।  ୬ରୁ ବଢ଼ିବ ବର୍ଷା ।  ଆଗାମୀ ୫ ଦିନ ଯାଏ ରାଜ୍ୟରେ ବର୍ଷା ଜାରି ରହିବ ।   ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ଅଂଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ ।  ଆଗାମୀ ୭ ତାରିଖ ବେଳକୁ ଆଉ ଏକ ଘୁର୍ଣ୍ଣିବଳୟର ସମ୍ଭାବନା ଥିବାବେଳେ ଏହାର ପ୍ରଭାବରେ ବର୍ଷାର ବିସ୍ତୃତି ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପରେ ଏହା ଲଘୁଚାପର ରୂପ ନେଇପାରେ ବୋଲି ମଧ୍ୟ ଆକଳନ କରିଛି ପାଣିପାଗ ବିଭାଗ ।ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ପିପିଲିରେ ସର୍ବାଧିକ ୧୦୯ ମିମି ବର୍ଷା ରେକର୍ଡ ହୋଇଛି । ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୫୩୩.୦ ମିମି ବର୍ଷା ରେକର୍ଡ ହୋଇଛି । ଏବେବି ୯ ପ୍ରତିଶତ ନିଅଁଟିଆ ବର୍ଷା ରହିଛି । ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।ରବିବାର ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ ମୋଟ ୧୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ହେଲେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ବନ୍ୟା ପରିସ୍ଥିତି ଉପୁଜି ନାହିଁ । ନଦୀ ଗୁଡ଼ିକ ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ମହାନ୍ତି ସୂଚନା ଦେଇ କହିଛନ୍ତି, ମାଲକାନଗିରି ଜିଲାରେ ଅଧିକ ବର୍ଷା ହେବାରୁ ଯାହା କ୍ଷୟକ୍ଷତି ହୋଇଛି । ରବିବାର ସକାଳ ସୁଦ୍ଧା ବୈତରଣୀ, ବୁଢ଼ାବଳଙ୍ଗ ଅପ୍‌ ଟ୍ରେଣ୍ଡରେ ପାଣି ପ୍ରବାହିତ ହେଉଥିଲେ ମଧ୍ୟ ବିପଦ ସଂକେତ ତଳେ ରହିଥିବା ସର୍ବୋଚ୍ଚ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ହୀରାକୁଦରେ ୬ଟି ଗେଟ ଖୋଲା ଥିଲା । ମହାନଦୀର ଉପର ମୁଣ୍ଡରେ ବର୍ଷା ହୋଇଛି। ଫଳରେ ଅଧିକ ଜଳ ଡ୍ୟାମ୍‌କୁ ପଶୁଛି। ତେଣୁ ଆହୁରି ୮ଟି ଗେଟ ଖୋଲିବାକୁ ନିଷ୍ପତ୍ତି ହୋଇଥିବା ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!