ପୁରୀ,୧୩।୮:ଆଡପ ମଣ୍ଡପ ପହଣ୍ଡି ଦିନ ବଡଠାକୁର ରଥ ଉପରେ ପଡ଼ିବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରରେ ଆଡ଼ପମଣ୍ଡପ ବିଜେ ଗୋଟି ପହଣ୍ଡିବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳରେ ଖସି ପଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି।ମହାପ୍ରଭୁ ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାଶ ମହାପାତ୍ରଙ୍କ ପୁଅ ଅନାଥ ହଳଧର ଦାଶ ମହାପାତ୍ରଙ୍କୁ ଡାକି ପଚରାଉଚରା କରିଛି ତିନିଜଣିଆ କମିଟି।ଏଥିସହ ଖୁଣ୍ଟିଆ ସେବକ, ପ୍ରତିହାରୀ ସେବକ, ଜେଟିପି, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସମେତ ବରିଷ୍ଠ ଦଇତାପତି ସେବକ ମାନଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଭିଡିଓ ଦେଖାଇ ତିନି ଜଣିଆ କମିଟି ଏଡିଏମ୍, ନୀତି ପ୍ରଶାସକ, ସିଟି DSP ତଦନ୍ତ କରୁଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭର୍ଚୁଆଲରେ ରହିଥିଲେ। ଗତ ଜୁଲାଇ ୯ ତାରିଖରେ ଆଡ଼ପମଣ୍ଡପ ବିଜେ ଗୋଟି ପହଣ୍ଡିବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ। ପହଣ୍ଡିରେ ସାମିଲ ହୋଇଥିବା କେତେକ ସେବାୟତ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ବିରୋଧୀ ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିଥିଲେ। ଏହି ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଥିଲା। ଏହି କମିଟି ଗତକାଲି ବଳଭଦ୍ରଙ୍କ ବାଡଗ୍ରାହୀଙ୍କ ପୁଅଙ୍କ ସମେତ ଖୁଣ୍ଟିଆ ସେବକ, ପ୍ରତିହାରୀ ସେବକ ପଚରାଉଚାର କରିଥିବା ସୂଚନା ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |