ଭୁବନେଶ୍ୱର,୧୫।୮ : ଦୀର୍ଘ ୧୫ବର୍ଷ ପରେ ପୁଣି ବହୁଚର୍ଚ୍ଚିତ ବ୍ଲାକ୍ରୋଜ ଜାହାଜ ବୁଡ଼ି ଘଟଣାର ଗୁମର ଖୋଲିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।୧୫ ବର୍ଷ ପରେ ପାରାଦୀପ ସମୁଦ୍ରରେ ଏମଭି ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ହେବାର ସମ୍ଭାବନା ରହିଛି। ପାରାଦୀପ ସାମୁଦ୍ରିକ ଥାନାରେ ରୁଜୁ ଏହି ବ୍ଲାକରୋଜ୍ ବୁଡ଼ି ଘଟଣାର ତଦନ୍ତ ପ୍ରକ୍ରିୟାକୁ ସିବିଆଇକୁ ହସ୍ତାନ୍ତର କରିବା ନିମନ୍ତେ ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ଗୃହ ବିଭାଗ ଚଳିତ ଅଗଷ୍ଟ ୩ତାରିଖରେ ପୁଲିସ ଡିଜି ଓ କ୍ରାଇମବ୍ରାଂଚ ଏଡିଜିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କରିଥିବା ଅଭିଯୋଗ ଆଧାରରେ ଗୃହ ବିଭାଗ ଏଭଳି ଚିଠି ଲେଖିଛି। ଆଉ ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣା ସିବିଆଇକୁ ହସ୍ତାନ୍ତର ହେବାର ସମ୍ଭାବନା ଥିବାବେଳେ ଏହା ବିଜେଡି ନେତା ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ଅଡ଼ୁଆ ବଢ଼ାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । ବବିଙ୍କ ପରିବାର ସଦସ୍ୟଙ୍କ ମାଲିକାନାରେ ଥିବା କମ୍ପାନୀ ମେସର୍ସ ରେକ୍ଟର ମାଇନ୍ସ ଆଣ୍ଡ ମିନେରାଲସ ପ୍ରାଇଭେଟ୍ ଲିମିଟେଡର ଲୁହାପଥରକୁ ଏହି ମଙ୍ଗୋଲୀୟ ଜାହାଜ ‘ଏମଭିବ୍ଲାକରୋଜ୍’ ଚୀନ ନେଇ ଯାଉଥିଲା ବୋଲି ଜଣାପଡ଼ିଛି|ବ୍ଲାକ୍ରୋଜ ବୁଡ଼ି ଘଟଣାର ତଦନ୍ତ କରିବାକୁ ୨୦୨୪ ଜୁନ୍ ୨୨ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ଏକ ପତ୍ର ଲେଖିଥିଲେ। ବ୍ଲାକ୍ରୋଜ ବୁଡ଼ି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତର ସମସ୍ତ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର ପାଇଁ ପ୍ରଧାନ ନିବେଦନ କରିଥିଲେ। ଉକ୍ତ ଅଭିଯୋଗକୁ ଆଧାର କରି ଘଟଣାର ଉପଯୁକ୍ତ ଅନୁସନ୍ଧାନ କରିବାକୁ ଗୃହ ବିଭାଗ ପକ୍ଷରୁ ଡିଜିପିଙ୍କୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |