ଯାଜପୁର,୧୮ା୮: ଯାଜପୁର ସିଟି ଏବଂ ଜିଏସ୍ଟିର ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କୁ ରବିବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ସରକାରୀ ଟିକସ ହେର୍ଫେର୍ ଅଭିଯୋଗରେ ଶନିବାର ରେଡ୍ କରାଯାଇଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏଥିସହିତ ବିନୟଙ୍କ ୨ ବ୍ୟକ୍ତିଗତ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି।ସରକାରୀ ଟିକସ ହେରଫେର ଅଭିଯୋଗରେ ଯାଜପୁର CT&GST ଏନ୍ ଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କର ଦୁଇ ଜଣ ସହଯୋଗୀ ଜ୍ୟୋତି ପଟ୍ଟନାୟକ ଓ ମହମ୍ମଦ ଗୁଲାମ।ଗତ ମେ’ ମାସ ୭ ତାରିଖର ରାତି ଗୋଟାଏ ବେଳେ ଯାଜପୁରର ରେବେଣାରେ ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବା ନିକଟରେ ବିନୟ ଭୂଷଣ ତ୍ରିପାଠୀ ଏକ ମାଲ ବୋଝେଇ ଗାଡ଼ିକୁ ଅଟକାଇଥିଲେ। ସେଥିରେ ୨୨,୨୪୦ କେଜି ଓଜନର ସ୍କ୍ରାପ ବୋଝେଇ ହୋଇଥିଲା, ଯାହାର ମୂଲ୍ୟ ୮ ଲକ୍ଷ ୮୯ ହଜାର ୬୦୦ ଟଙ୍କା। ଗାଡ଼ିଟିକୁ ଅଟକାଇ ସେ ଏହାର ମାଲିକଙ୍କୁ ଫୋନ୍ କରି ୨.୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନଦେଲେ ଟ୍ରକ୍ ଛାଡ଼ିବେନି ବୋଲି କହିଥିଲେ। କିନ୍ତୁ ତାଙ୍କର ଏହି ଉଦ୍ୟମ ଫେଲ୍ ମାରିଥିଲା। ତେଣୁ ସେ ଜିଏସ୍ଟି ନିୟମ ଆଧାରରେ ମନ୍ଦ ଉଦ୍ଦେଶ୍ୟ ରଖି ସ୍କ୍ରାପ୍ ଜବତ କରିଥିଲେ। ତେବେ ପରେ ସେ ସେହି ସ୍କ୍ରାପକୁ ଅନ୍ୟ ଜଣେ ସ୍କ୍ରାପ୍ ଡିଲରଙ୍କୁ ବିକ୍ରି କରି ଦେଇଥିଲେ। ସରକାରୀ ତହବିଲକୁ ଅଳ୍ପ କିଛି ଅର୍ଥ ଦେଇ ସେ ପ୍ରାୟ ୫ ଲକ୍ଷ ୮୫ ହଜାର ୩୫୬ ଟଙ୍କା ଚଳୁ କରି ଦେଇଥିଲେ। ଟିକସ ଛାଡ଼ କରିଦେବା ନେଇ ସେ ଏମିତି ବହୁ ଟ୍ରାନ୍ସପୋଟର ଓ ସପ୍ଲାୟରଙ୍କଠାରୁ ବହୁ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |