ଘଡ଼ଘଡ଼ିରେ କମ୍ପିଲା ରାଜଧାନୀ ଆକାଶ

ଭୁବନେଶ୍ୱର,୨୦।୮:ଘନଘନ ବିଜୁଳି ଓ ଘଡ଼ଘଡ଼ିରେ କମ୍ପିଲା ରାଜଧାନୀ ଭୁବନେଶ୍ୱରର ଗଗନ ପବନ। କିଛି କ୍ଷଣ ପାଇଁ ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିଲା। ଘର ଭିତରେ ଲୋକମାନେ ଭୟଭୀତ ହୋଇଯାଇଥିଲେ। ଆଉ ଯେଉଁମାନେ କୌଣସି କାମରେ ଘରୁ ବାହାରିଥିଲେ, ସେମାନେ ସୁରକ୍ଷିତ ସ୍ଥାନ ଦେଖି ବସିବାକୁ ବାଧ୍ୟ ହୋଇଥିଲେ। କାରଣ ଆଜି ସମଗ୍ର ରାଜଧାନୀରେ ପ୍ରବଳ ଘଡ଼ଘଡ଼ି ସହ ବଜ୍ରପାତ ହୋଇଛି। ଏଥିସହ ପ୍ରବଳ ବର୍ଷା ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି।ଆଜି ସକାଳେ ରାଜଧାନୀ ରେ  ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଥିଲା। ମଧ୍ୟାହ୍ନ ପର୍ଯ୍ୟନ୍ତ ପ୍ରବଳ ଖରା ହୋଇଥିଲା। ସତେ ଯେମିତି ଲାଗୁଥିଲା ବର୍ଷା ଦିନରେ ଗ୍ରୀଷ୍ମ ମାଡ଼ି ଆସିଥିଲା। ହେଲେ ବେଳା ଗଡ଼ିଲା ବେଳକୁ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ଅପରାହ୍ନ ପ୍ରାୟ ୩ଟା ବେଳେ ପ୍ରଥମେ ବିଜୁଳି ଓ ଘଡ଼ଘଡ଼ି ମାରିବା ଆରମ୍ଭ କରିଥିଲା। ଥରେ କି ଦୁଇ ଥର ନୁହେଁ, ଲଗାତାର ଭାବେ ଅନେକ ବାର ବିଜୁଳି ଓ ଘଡ଼ଘଡ଼ି ମାରିଥିବା ଦେଖିବାକୁ ମିଳିଥିଲା। ତା’ପରେ ଆରମ୍ଭ ହୋଇଥିଲା ବର୍ଷା। ଦୀର୍ଘ ସମୟଧରି ବର୍ଷା ଲାଗି ରହିଥିଲା। ପୂର୍ବରୁ ବର୍ଷା ଓ ଘଡ଼ଘଡ଼ି ସହ ବିଜୁଳି ନେଇ ସତର୍କ ସୂଚନା ଜାରି କରିଥିଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।ଆଜି ପରି ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ଆଉ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋପାରେ। ସେଥିପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆଗାମୀ ୨୪ ଘଣ୍ଟା ଭିତରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏଥିସହ ବଜ୍ରପାତ ଓ ଘଟଡ଼ଘଡ଼ି ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!