ଭୁବନେଶ୍ୱର,୪ା୯: ୩୦ ଜିଲ୍ଲା ବୁଲିବେ ୩୦ ସଚିବ। ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଏବଂ ସରକାରଙ୍କ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିବା ପାଇଁ ନିୟମିତ ବ୍ୟବଧାନରେ ବିଭିନ୍ନ ଜିଲା ପରିଦର୍ଶନ କରିବେ ସମସ୍ତ ବିଭାଗର ସଚିବ। ସେମାନଙ୍କୁ ଆଜି ଜିଲ୍ଲା ଆବଂଟିତ ହୋଇଛି । ପ୍ରତିମାସରେ ‘ସଚିବମାନଙ୍କୁ ଆବଂଟିତ ଜିଲ୍ଲା’ ବଦଳିବ । ବିଜେଡି ସରକାରରେ ‘ଭିକେ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ’ ପାଇଁ ସଚିବମାନଙ୍କ ଜିଲ୍ଲା ଗସ୍ତ ଉପରେ ଅଘୋଷିତ କଟକଣା ଜାରି ହୋଇଥିଲା । ତେବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଗତ ଅଗଷ୍ଟ ୨୪ତାରିଖରେ ‘ପୁଣି ଜିଲ୍ଲା ଗସ୍ତରେ ଯିବେ ସଚିବ’ ଶୀର୍ଷକ ଏକ ତଥ୍ୟଭିତ୍ତିକ ଖବର ‘ଓଡ଼ିଶା ରିପୋର୍ଟର’ ପ୍ରକାଶ କରିଥିଲା ।ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ଆଜି ସମସ୍ତ ବିଭାଗର ସଚିବ ଓ ଅନ୍ୟ ୮ଜଣ ନିର୍ଦ୍ଦେଶକ ପାହ୍ୟାର ଅଫିସରଙ୍କୁ ଚିଠି ଲେଖି ଜିଲ୍ଲା ଗସ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ଆବଂଟିତ ଜିଲ୍ଲାକୁ ପରିଦର୍ଶନ କରିବା ପାଇଁ ୨-୩ଦିନର ଯୋଜନା ପ୍ରସ୍ତୁତ କରିବା ସହ ଅନ୍ୟ ୧୧ଟି ଦିଗ ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି ।ଏହି ଆଇଏଏସ୍ ଅଫିସରମାନଙ୍କୁ ଆବଂଟିତ ଜିଲ୍ଲାର ଯେକୌଣସି ସ୍ଥାନକୁ ନିଜ ଇଚ୍ଛା ଅନୁସାରେ ପରିଦର୍ଶନରେ ଯାଇପାରିବେ । ତେବେ ଏଥିରେ ଅପହଂଚ ଓ ଆଦିବାସୀ ବହୁଳ ଅଂଚଳକୁ ସାମିଲ କରିବାକୁ କୁହାଯାଇଛି । ଗସ୍ତ ସମୟରେ ସେମାନେ ଯେକୌଣସି ଗୋଟିଏ ପଂଚାୟତକୁ ପରିଦର୍ଶନ କରି ସେଠାରେ ସରକାରଙ୍କ ବିଭିନ୍ନ ଯୋଜନାରେ ମୌଳିକ ସୁବିଧାଗୁଡ଼ିକ କିଭଳି ଉପଲବ୍ଧ ହେଉଛି ତାହା ତଦାରଖ କରିବେ । ଏହାସହିତ ଦିନକୁ ଅତିକମରେ ଧାର୍ଯ୍ୟ ମୂଲ୍ୟଦେଇ ଆହାର କେନ୍ଦ୍ର, ଆବାସିକ ଛାତ୍ରାବାସ, ସ୍କୁଲ ମଧ୍ୟାହ୍ନଭୋଜନ ଅବା ଅନାଥ ଆଶ୍ରମରେ ଭୋଜନ କରି ଖାଦ୍ୟର ଗୁଣବତ୍ତା ଓ ସେଠାକାର ପରିବେଶ ପରିସ୍ଥିତି ଉପରେ ଦୃଷ୍ଟି ଦେବେ । ଏହି ସମୟରେ ସେମାନେ ଛାତ୍ରଛାତ୍ରୀ ଓ ଅନ୍ତେବାସୀଙ୍କ ସହ ଆଲୋଚନା କରି ସେଠାରେ ଉପଲବ୍ଧ ସୁରକ୍ଷା, ସୁବିଧାସୁଯୋଗ ଓ ସେମାନଙ୍କ ପ୍ରତି କରାଯାଉଥିବା ଆଚରଣ ପଚାରି ବୁଝିବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |