ମାଲକାନଗିରି,୯।୯: ପ୍ରବଳ ବର୍ଷାହେବା ଦ୍ୱାରା ମାଲକାନଗିରି ସହର ଜଳମଗ୍ନ ହୋଇଛି। ଲଗାଣ ବର୍ଷା ହେତୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ହୋଇଛି। ଜିଲ୍ଲାର ପୋଟେରୁ ଗ୍ରାମ ସମ୍ପୂର୍ଣ୍ଣ ରୂପେ ଜଳ ମୟ ହୋଇଥିବା ବେଳେ ଗ୍ରାମ ମଧ୍ୟରେ ପ୍ରାୟ ୫ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଛି। ଯାହାଫଳରେ ମାଲକାନଗିରି କାଲିମେଳା ଯାତାୟାତ ସମ୍ପୂର୍ଣ ରୂପେ ବନ୍ଦ ହୋଇଛି। ସେହିପରି ଜିଲ୍ଲାର ତାମସା ଠାରେ ମଧ୍ୟ ରାସ୍ତା ଉପରେ ପାଣି ଆସିବରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ରବିବାର କାଲିସନ୍ଧ୍ୟାରେ ବର୍ଷା ଯୋଗୁଁଁ ରାସ୍ତାରେ ପ୍ରବଳ ବେଗରେ ପାଣିର ସୁଅ ଚାଲୁଥିବା ବେଳେ ପାଙ୍ଗମ ନଦୀ ପୋଲ ଉପରେ ୨ଫୁଟରୁ ଊର୍ଦ୍ଧ୍ବ ପାଣି ପ୍ରବାହିତ ହୋଇ ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳ ପ୍ରଚଳ ବନ୍ଦରହିଛି। ଆଜି ସକାଳୁ ଜିଲ୍ଲାରେ ପ୍ରବଳ ବେଗରେ ବର୍ଷା ଲାଗିରହିଛି। ସହରର ଥାନା ଛକ, ହୋଟେଲ କୁଇନାଇ ଛକ, ବାଲିସାଗର ସାହି, ବସ ଷ୍ଟାଣ୍ଡ ବିଭିନ୍ନ ସ୍ଥାନରେ ପାଣିର ସୁଅ ଚାଲିଥିବାରୁ ରାସ୍ତା ଦେଖା ଯାଉନାହିଁ। ଫଳରେ ଯାନ ବାହନ ଚଳାଚଳ ସହିତ ଯାତାୟତ ବନ୍ଦ ହୋଇଯାଇଛି। ଏହି ବର୍ଷା ଦ୍ୱାରା ପୁଣି ଥରେ ସାବେରୀ, ସିଲେରୁ, ତମସା, ପୋଟେରୁ, ପାଙ୍ଗମ ନଦୀ ଫୁଲି ପୋଲ ଉପରେ ପାଣି ପ୍ରଭାହିତ ହେଉଛି। ବିଶେଷ କରି ପାଙ୍ଗମ ନଦୀ ପୋଲ ଉପରେ ଦୁଇଫୁଟ ଉଚ୍ଚର ପାଣି ଚାଲିଥିବାରୁ ମାଲକାନଗିରି ଠୁ ଜୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲର ଦୁଇ ପାର୍ଶ୍ବରେ ଶତାଧିକ ଯାନ ବାହନ ଅଟକି ରହିଛି। ପ୍ରବଳ ବେଗରେ ବର୍ଷା ଲାଗି ରହିଥିବାରୁ ସହରରେ ଦୋକାନ ବଜାର ସବୁ ବନ୍ଦ ହୋଇଯାଇଛି। ସେହିପରି କାଙ୍ଗୁରକୋଣ୍ଡା ପୋଲ ଉପରେ ୧୦ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |