ନୂଆଦିଲ୍ଲୀ,୧୭।୯: ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଟିମ୍ ଚାଇନା ମାଟିରେ ଚାଇନାକୁ ପରାସ୍ତ କରି ପଞ୍ଚମ ଥର ଲାଗି ଏସିଆ ଚାମ୍ପିୟନ ହୋଇଛି। ଫାଇନାଲ ମୁକାବିଲାରେ ଚାଇନା ଭାରତୀୟ ଦଳ ସହିତ କଡ଼ା ମୁକାବିଲା କରିଥିଲା।ଆଜି ଫାଇନାଲରେ ହରମନପ୍ରୀତ ସିଂହଙ୍କ ଭାରତୀୟ ଟିମ କଡ଼ା ସଂଘର୍ଷ ସହ ଚାଇନାକୁ ୧-୦ରେ ହରାଇ ଟ୍ରଫି ଜିତିଛି। ଭାରତ ପକ୍ଷରୁ ଯୁଗରାଜ ସିଂହ ହିଁ ଏକମାତ୍ର ଗୋଲ ସ୍କୋର କରିଛନ୍ତି। ଏହି ଗୋଲଟି ଶେଷ କ୍ୱାର୍ଟର(୫୧ତମ ମିନିଟ)ରେ ହିଁ ମିଳିଥିଲା।ଚାଇନା ପ୍ରଥମଥର ଫାଇନାଲ ଖେଳୁଥିଲେ ହେଁ ଭାରତକୁ କଡ଼ା ଟକ୍କର ଦେବାକୁ ସକ୍ଷମ ହୋଇଥିଲା। ବିଶେଷ କରି ଚାଇନାର ଗୋଲ କିପର ଏକାଧିକ ଗୋଲକୁ ରୋକିବାକୁ ସକ୍ଷମ ହୋଇଥିଲେ।ଭାରତ ତା’ର ଏସିଆନ ଚାମ୍ପିୟନ୍ସ ଟ୍ରଫି ଅଭିଯାନ ଚାଇନାକୁ ହରାଇ ଆରମ୍ଭ କରିଥିଲା। ଆଜି ଫାଇନାଲରେ ସେହି ଚାଇନାକୁ ହରାଇ ଚାମ୍ପିୟନ ହୋଇଛି। ୨୦୨୩ ଏସିଆନ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଭାରତ ଜିତିଥିଲା। ଦଳ ଫାଇନାଲରେ ମାଲେସିୟାକୁ ୪-୩ ଗୋଲରେ ହରାଇ ଟ୍ରଫି କବଜା କରିଥିଲା। ଏଥର ଚାଇନାକୁ ହରାଇ ଚାମ୍ପିୟନ ହୋଇଛି।୨୦୧୧, ୨୦୧୬, ୨୦୧୮, ୨୦୨୩ ଓ ୨୦୨୪ରେ ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ ହୋଇଛି। ଦଳକୁ କେବଳ ୨୦୧୨ରେ ରନର୍ସ ଅପ ହେବାକୁ ପଡ଼ିଥିଲା। ସେହିପରି ୨୦୧୩ରେ ଦଳ ଫାଇନାଲକୁ ଯାଇ ପାରି ନଥିଲା।ଏହି ୨ ବିପର୍ଯ୍ୟୟକୁ ଛାଡ଼ି ଦେଲେ ଭାରତ ସବୁ ସଂସ୍କରଣରେ ନିଜର ଦବଦବା ଦେଖାଇ ଚାଲିଛି। ଏଥର ମଧ୍ୟ ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ପୂରା ଟୁର୍ଣ୍ଣାମେଣ୍ଟରେ ଦଳ ଅପରାଜେୟ ରହି ଟ୍ରଫି ହାସଲ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |