ନୂଆଦିଲ୍ଲୀ, ୧୯।୯: କେନ୍ଦ୍ର କ୍ୟାବିନେଟ ବୁଧବାର ମହାକାଶ କ୍ଷେତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ଚନ୍ଦ୍ର,ମଙ୍ଗଳ ପରେ ଶୁକ୍ରଗ୍ରହ ସମ୍ପର୍କରେ ଅନୁଧ୍ୟାନ ନିମନ୍ତେ ଆବଶ୍ୟକ ଅଭିଯାନ କରିବା ଲାଗି କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି। ମହାଜାଗତିକ କ୍ଷେତ୍ରରେ ଅଧିକ ଗବେଷଣା ଲାଗି ଇସ୍ରୋ ପକ୍ଷରୁ ଭେନସ ଅର୍ବିଟ ମିଶନ (ଭିଓଏମ୍) ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ ଏହାକୁ ସରକାର ଅନୁମୋଦନ କରିଛନ୍ତି। ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୪ ମିଶନକୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିବା ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହି ମିଶନ ଅନୁଯାୟୀ, ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରରେ ଅବତରଣ କରାଇ ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବ। ସେହିପରି ଏହି ମିଶନରେ ଚନ୍ଦ୍ରରୁ ଚଟାଣ ଓ ମାଟି ପରି ନମୁନା ସଂଗ୍ରହ କରି ଭାରତ ଅଣାଯିବ, ଯାହାକୁ ନେଇଭାରତୀୟ ମହାକାଶ ଗବେଶଣା ସଂଗଠନ(ଇସ୍ରୋ) ପକ୍ଷରୁ ବିଭିନ୍ନ ପରୀକ୍ଷାନିରୀକ୍ଷା ଓ ଗବେଷଣା କରାଯିବ। ୩୬ ମାସର ସମୟସୀମା ସସ୍କୃତ ଚନ୍ଦ୍ରୟାନ-୪ ମିଶନ ପାଇଁ ମୋଦି ସରକାର ୨,୧୦୪ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଇସ୍ରୋ ଚନ୍ଦ୍ରୟାନ-୪ର ବିକାଶ ଏବଂ ଉତ୍କ୍ଷେପଣକୁ ପରିଚାଳନା କରିବ। ଅନ୍ୟପକ୍ଷରେ ଭେନସ ଅର୍ବିଟର ମିଶନର ସମ୍ପ୍ରସାରଣକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି। ସେହିପରି ୨୦୩୫ ସୁଦ୍ଧା ଭାରତୀୟ ଅନ୍ତରୀକ୍ଷ ଷ୍ଟେଶନ (ବିଏଏସ୍)ର ପ୍ରତିଷ୍ଠା ପାଇଁ ମଧ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |