ପୁରୀ,୨୧ା୯:ଆଜିଠୁ ପୁଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ। ରତ୍ନଭଣ୍ଡାର ଭିତରେ ଗୁପ୍ତ ସୁଡ଼ଙ୍ଗର ସନ୍ଧାନ କରି ASI ଟିମ୍। ତନ୍ନ ତନ୍ନ କରି ହେବ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍ ସର୍ଭେ। ଏହି ସମୟରେ ୩ ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ରିପୋର୍ଟ ଆସିବା ପରେ ମରାମତି ଓ ଗଣତି ମଣତି ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ଏହି ସର୍ଭେ ୩ ଦିନ ଧରି ଚାଲିବ। ଆସନ୍ତା ୨୪ ତାରିଖ ପରଠୁ ଦଶହରା ଷୋଳ ପୂଜା ଓ କାର୍ତ୍ତିକ ମାସ ଆରମ୍ଭ ହେବ। ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଚାଲିବ। ତେଣୁ ତାପୂର୍ବରୁ ବାକି ଥିବା ବୈଷୟିକ ସର୍ଭେ ସାରି ରିପୋର୍ଟ ଦାଖଲ କରିବାକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଆଉ କୌଣସି ସୁଡ଼ଙ୍ଗ କିମ୍ବା ଗୁପ୍ତ କୋଠରୀ ରହିଛି କି? ରତ୍ନଭଣ୍ଡାର ମରାମତି ପୂର୍ବରୁ ଏହି ଚର୍ଚ୍ଚା ଉପରୁ ପରଦା ହଟାଇବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁରୋଧକ୍ରମେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଯାଞ୍ଚ କରୁଛି। ଗତ ୧୮ ତାରିଖରେ ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ କରାଯାଇଥିଲା। ବଳକା ଯାଞ୍ଚ ଶନିବାରଠାରୁ ଆରମ୍ଭ ହେବ। ତିନିଦିନ ଧରି ରତ୍ନଭଣ୍ଡାରର ଜିପିଆର୍ (ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର) ସର୍ଭେ କରିବ ଏଏସ୍ଆଇ।ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (ଏସ୍ଓପି) ଅନୁସାରେ ଏହି ଯାଞ୍ଚ କରାଯିବ। ଏହି ତିନିଦିନ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନ କରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଏହି ଦିନ ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ୱାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାରରେ ପ୍ରସ୍ଥାନ କରିପାରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |