ଶ୍ରୀନଗର,୨୫ା୯ :ଆଜି ଜମ୍ମୁ ଏବଂ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ଏଥିପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ଭୋଟିଂ। ଦ୍ୱିତୀୟ ପର୍ଯ୍ୟାୟରେ ଜମ୍ମୁ କଶ୍ମୀରର ୬ଟି ଜିଲ୍ଲାରେ ୨୬ଟି ବିଧାନସଭା ଆସନରେ ପଡ଼ିବ ଭୋଟ୍। ମତଦାନକୁ ଅବାଧ ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ସୁରକ୍ଷା ବଳ ନିୟୋଜିତ କରାଯାଇଛି। ନିର୍ବାଚନ କମିଶନ ୩,୫୦୨ଟି ମତଦାନ କେନ୍ଦ୍ର ସ୍ଥାପନ କରିଛନ୍ତି। ସେଥିରୁ ୧,୦୫୬ଟି ସହରାଞ୍ଚଳରେ ହୋଇଥିବାବେଳେ ୨,୪୪୬ଟି ଗ୍ରାମାଞ୍ଚଳରେ ରହିଛି। ନିର୍ବାଚନ ପରିଚାଳନାରେ ସ୍ବଚ୍ଛତା ପାଇଁ ସବୁ ବୁଥ୍ରେ ଓ୍ବେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଅଧିକ ସଂଖ୍ୟାରେ ଭୋଟର ଯେପରି ବୁଥ୍କୁ ଆସି ମତଦାନ କରିବେ, ସେଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୧୫୭ଟି ସ୍ବତନ୍ତ୍ର ମତଦାନ କେନ୍ଦ୍ର କରାଯାଇଛି। ୨୬ଟି ପିଙ୍କ୍ ବୁଥ୍କୁ ମହିଳାମାନେ ପରିଚାଳନା କରୁଥିବାବେଳେ ଭିନ୍ନକ୍ଷମଙ୍କ ଦ୍ୱାରା ଅନ୍ୟ ୨୬ଟି ବୁଥ୍ ପରିଚାଳିତ ହେବ। ୩୧ଟି ସୀମାନ୍ତ ପୋଲିଂ ଷ୍ଟେଶନ ହୋଇଥିବାବେଳେ ୨୬ଟି ଗ୍ରୀନ୍ ଏବଂ ୨୨ଟି ଅନନ୍ୟ ପୋଲିଂ ଷ୍ଟେଶନ ଖୋଲାଯାଇଛି। ମତଦାନ ସକାଳ ୭ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଜେକେପିସିସି ସଭାପତି ତାରିକ୍ ହମିଦ କାରା ଏବଂ ଭାଜପା ଜମ୍ମୁ-କଶ୍ମୀର ସଭାପତି ରବୀନ୍ଦ୍ର ରାଇନା। ଓମାର ଗଣ୍ଡେରବାଲ ଏବଂ ବଡ୍ଗାମ ଆସନରୁ ଲଢ଼ୁଥିବାବେଳେ କାରା କେନ୍ଦ୍ରୀୟ ଶାଲତେଙ୍ଗରୁ ଏବଂ ରାଇନା ରାଜୌରୀ ଜିଲାର ନାଓଶେରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଜେଲରେ ଥିବା ବିଚ୍ଛିନ୍ନତାବାଦୀ ନେତା ସର୍ଜନ ଅହମଦ ଓ୍ବାଗି ଓରଫ ବର୍କତି ଦୁଇଟି ଆସନ ବୀରଓ୍ବା ଏବଂ ଗଣ୍ଡେରବାଲରୁ ଲଢ଼ୁଛନ୍ତି। ରଶିଦ ଇଞ୍ଜିନିୟର ଭାବେ ଜଣାଶୁଣା ଶେଖ୍ ଅବଦୁଲ ରଶିଦ ତିହାର ଜେଲରେ ଥାଇ ଲୋକ ସଭା ନିର୍ବାଚନରେ ବାରମୁଲ୍ଲା ଆସନରୁ ଲଢ଼ିଥିଲେ। ସେ ଓମାରଙ୍କୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |