ଭୁବନେଶ୍ୱର,୨୮ା୯: ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସପି ସମ୍ମିଳନୀର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଏସପିଙ୍କୁ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଓଡ଼ିଶା ପୁଲିସର ମନ୍ତ୍ର ହେଉଛି ସେବା ଓ ସୁରକ୍ଷା। ଆମ ରାଜ୍ୟରେ ମହିଳାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ଆମ ସରକାର ପ୍ରତିଶ୍ରୁତିବଦ୍ଧ। ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ। ରାତିରେ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀଙ୍କୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଖାସ କରି ଥାନାରେ ମହିଳାଙ୍କ ପ୍ରତି ଉଚିତ ବ୍ୟବହାର କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୁର୍ନୀତି, ଅନିୟମିତା, କ୍ଷମତା ଦୂରୁପଯୋଗକୁ ବରଦାସ୍ତ କରାଯିବନି। ମୁଁ ନିଜେ ଭୁକ୍ତଭୋଗୀ, ତେଣୁ ଏହାକୁ ଆମ ସରକାର ଗୁରୁତ୍ୱ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଥାନା ଅଧିକାରୀମାନେ ଫାଣ୍ଡିକୁ ଯାଇ ସ୍ଥିତି ଅନୁଧ୍ୟାନ କରନ୍ତୁ। ପୁଲିସର ବ୍ୟବହାର ପୁରା ଜିଲା ଓ ସମାଜ ଉପରେ ପଡ଼ିଥାଏ।ସେ କହିଛନ୍ତି, ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ବିଗତ ୨୨ ବର୍ଷ ଓଡ଼ିଶା ପାଇଁ ବିରାଟ କାଳଖଣ୍ଡ ଥିଲା। ୨୦୨୨ ପର୍ଯ୍ୟନ୍ତ ମହିଳା ବିରୋଧୀ ହିଂସା ଦଣ୍ଡହାର ମାତ୍ର ୯.୭୩%। ଯାହା ଅତ୍ୟନ୍ତ ନୈରାଶ୍ୟଜନକ, ଆମ ସରକାର ଏହାକୁ ବରଦାସ୍ତ କରିବନି।ସପ୍ତାହେ ଭିତରେ ଏସ୍ପିମାନେ ଏ ସମ୍ପର୍କିତ ପେଣ୍ଡିଂ ମାମଲା ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ। ଯେତେବେଳେ ଆସିବେ ଶୁଣନ୍ତୁ, ରାତି ୨ରେ ଆସିଲେ ବି ଶୁଣିବେ। ପୋଲିସ ଲୋକଙ୍କ ବନ୍ଧୁ ବୋଲି ଜନସଚେତନତା ଜରିଆରେ ଜଣାନ୍ତୁ। ପ୍ରତି ପୋଲିସ ପାଖରେ ବାଇକ୍ ରହିବ। ଥାନାରେ ୨ଟି ଜିପ୍ ରହିବ। କାର୍ଯ୍ୟକୁ ସହଜ ଏବଂ ସରଳ କରିବା ପାଇଁ ସରକାର ଏପରି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଓଡ୍ରାଫ୍ ଟିମ୍ ମଧ୍ୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଥାନାରେ ଥିବା ମହିଳା ଓ ଶିଶୁ ଡେସ୍କକୁ ଅଧିକ କାର୍ଯ୍ୟଶୀଳ କରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |