ଆଜି ସାମ୍‌ନାକୁ ଆସିବ ‘ଭରତପୁର’ ସତ

ଭୁବନେଶ୍ୱର,୩୦ା୯: ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ସୋମବାର ଗୁଜରାଟ ଗାନ୍ଧୀନଗରସ୍ଥିତ ଷ୍ଟେଟ୍‌ ଫୋରେନସିକ୍‌ ସାଇନ୍ସ ଲାବୋରେଟୋରି (ଏସ୍‌ଏଫ୍‌ଏସ୍‌ଏଲ୍‌)ରେ ୫ ପୋଲିସ ଅଧିକାରୀଙ୍କ ମିଛଧରା ପରୀକ୍ଷା ହେବ।ଆଜି ନିଲମ୍ୱିତ ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ପୁଲିସ କର୍ମଚାରୀଙ୍କୁ ମିଛ ଧରା ପରୀକ୍ଷାରେ କ୍ରାଇମବ୍ରାଞ୍ଚ ବସାଇବ।  ଏଥିପାଇଁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସ୍‌ଆଇ ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସାଗରିକା ରଥ, ଏଏସ୍‌ଆଇ ସଲିଳମୟୀ ସାହୁ ଏବଂ ଘଟଣା ଦିନ ଥାନାରେ ପ୍ରତ୍ୟକ୍ଷଦର୍ଶୀ ଭାବେ ଉପସ୍ଥିତ ଥିବା କାର୍ଯ୍ୟରତ ଏସ୍‌ଆଇ ପ୍ରଶାନ୍ତ ମହାରଣା ରବିବାର ଗୁଜରାଟ ଯାଇଛନ୍ତି। ଏଥିସହ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ୩ଜଣିଆ ଟିମ୍‌ ମଧ୍ୟ ସେଠାକୁ ଯାଇଛି। ତେବେ ଦୀନକୃଷ୍ଣଙ୍କର ପଲିଗ୍ରାଫ ଟେଷ୍ଟ, ନାର୍କୋ-ଆନାଲିସିସ୍‌ ଓ ବ୍ରେନ୍‌ ଫିଙ୍ଗର ପ୍ରିଣ୍ଟିଙ୍ଗ୍‌ ଟେଷ୍ଟ ହେବାକୁ ଥିବାବେଳେ ଅନ୍ୟ ୪ ପୋଲିସ ଅଧିକାରୀଙ୍କ କେବଳ ପଲିଗ୍ରାଫ୍‌ ଟେଷ୍ଟ କରାଯିବ। ଜଣଙ୍କ ପରେ ଜଣଙ୍କୁ ଏସବୁ ଟେଷ୍ଟ କରାଇବାକୁ କ୍ରାଇମବ୍ରାଞ୍ଚ ଯୋଜନା କରିଛି। ଟେଷ୍ଟ ସରିବା ପରେ ସମସ୍ତ ପୋଲିସ ଅଧିକାରୀଙ୍କୁ ଧରି କ୍ରାଇମବ୍ରାଞ୍ଚ ଟିମ୍‌ ଓଡ଼ିଶା ଫେରିଆସିବ। ଉକ୍ତ ରାତିରେ ପ୍ରକୃତରେ କ’ଣ ଘଟିଥିଲା। କାହା ବୟାନରେ ସତ ରହିଛି। ଏସବୁ ଜାଣିବାକୁ କ୍ରାଇମ୍‌ବ୍ରାଞ୍ଚ ପାଖରେ ଶେଷ ବିକଳ୍ପ ରହିଛି ସାଇଣ୍ଟିଫିକ୍‌ ଟେଷ୍ଟ। ରିପୋର୍ଟ ଆସିବା ପରେ ପ୍ରକୃତ ସତ ପଦାକୁ ଆସିବ ବୋଲି ତଦନ୍ତକାରୀ ଟିମ୍‌ ଆଶା ରଖିଛି। ଏସବୁ ଟେଷ୍ଟ କରାଇବାକୁ କ୍ରାଇମ୍‌ବ୍ରାଞ୍ଚ କୋର୍ଟଙ୍କ ନିକଟରେ ଆବେଦନ କରିଥିବାବେଳେ ପୋଲିସ ଅଧିକାରୀମାନେ ସହମତି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଦିନରେ ଓ ଟେଷ୍ଟ ହେବାକୁ ଥିବା ୫ ପୋଲିସ ଅଧିକାରୀ ରାତିରେ ବିମାନଯୋଗେ ଗୁଜରାଟ ଗସ୍ତ କରିଥିବା ଜଣାପଡିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!