ମାଡ଼ି ଆସୁଛି ବାତ୍ୟା ‘ଦାନା’ ,ଦିନ ୨ଟାରୁ ସବୁ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୪।୧୦:ଓଡ଼ିଶା ଉପକୂଳ ମୁହାଁଉଛି ଭୀଷଣ ବାତ୍ୟା ‘ଦାନା’। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଏବେ ତାହା ପାରାଦୀପଠାରୁ ୨୮୦ କିଲୋମିଟର ଏବଂ ଧାମରାରୁ ୩୧୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟା ଧରି ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି ।ବାତ୍ୟାକୁ ନେଇ ସତର୍କ କଲା ପ୍ରଶାସନ। ଦିନ ୨ଟାରୁ ଦୋକାନ, ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କସ୍ତିପଦା ଉପଖଣ୍ଡ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ବାତ୍ୟାକୁ ନେଇ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓଙ୍କ ସୂଚନା ରହିଛି। କିଛି ଅଞ୍ଚଳରେ ବର୍ଷା ହେଉଥିବା ଖବର ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ଅଳ୍ପ ଅଳ୍ପ ପବନ ଓ ବର୍ଷା ହେଉଛି, ଲ୍ୟାଣ୍ଡଫଲ ବେଳେ ଅଧିକ ପବନ ହେବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ ପରେ ପୁନଃଉଦ୍ଦାର ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।ବାତ୍ୟା ‘ଦାନା’ ଗତି ପଥରେ ସାମାନ୍ୟ ରିକର୍ଭ ଆସିଛି। ଏଥିପାଇଁ ଲ୍ୟାଣ୍ଡଫଲ୍ ସ୍ଥାନରେ ପରିବର୍ତ୍ତନ ହୋଇନି। ଲ୍ୟାଣ୍ଡଫଲ୍ ପରେ ଏହି ଭୀଷଣ ବାତ୍ୟା ସାମାନ୍ୟ ସାମାନ୍ୟ ରିକର୍ଭ କରିବ। ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାକୁ ଏହା ମୁହାଁଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଜାରି କରିଛନ୍ତି। ବାତ୍ୟା ପ୍ରଭାବରେ ଉପକୂଳର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇସାରିଛି। ୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ପାରାଦୀପରେ ସର୍ବାଧିକ ବର୍ଷା ୬୨.୯ ମିମି ହୋଇ ରେକର୍ଡ କରିଛି। ଚାନ୍ଦବାଲିରେ ୪୬ ମିମି ଓ କୁଜଙ୍ଗରେ ୨୭ ମିମି ବର୍ଷା ହେଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!