ଭୁବନେଶ୍ୱର,୨୪।୧୦: ଭୀଷଣ ବାତ୍ୟା ନେଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତ୍ରରେ ଏହା ସ୍ଥଳଭାଗ ଛୁଇଁବ। ବର୍ତ୍ତମାନ ଏହା ପାରାଦୀପଠାରୁ ୧୮୦ କିମି ଦୂରରେ ଥିବା ବେଳେ ଧାମରାଠାରୁ ୨୧୦ କିମି ଦୂରରେ ରହିଛି। ରାତିରେ ଲ୍ୟାଣ୍ଡଫଲ ହେବାକୁ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ବାତ୍ୟାର ବେଗ ଅଧିକ ରହିବା ଅନୁମାନ କରାଯାଉଥିବାରୁ ମାଟି ଘରେ ଥିବା ଲୋକେ ପକ୍କା ଘରକୁ ଯାଆନ୍ତୁ। ଟିଣ ଘର, ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡ଼ିବା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ବିଦ୍ୟୁତ କାଟ୍ ହେବ, ସେଥିଲାଗି ସତର୍କ ରୁହନ୍ତୁ।ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ‘ଏବେ ଯାଏଁ ୩ ଲକ୍ଷରୁ ଅଧିକଙ୍କୁ ସ୍ଥାନାନ୍ତର କରାସରିଲାଣି। ‘ଦାନା’ ଦ୍ୱାରା ପ୍ରଭାବିତ ହେବାକୁ ଥିବା ୧୬୫୩ ଗାଁରୁ ୩ ଲକ୍ଷ ୬୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଶତ ପ୍ରତିଶତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ବାତ୍ୟା ‘ଦାନା’ ଉପକୂଳମୁହାଁ ହୋଇଥିବା ବେଳେ ମଧ୍ୟ ରାତ୍ରିରେ ଲ୍ୟାଣ୍ଡଫଲ୍ କରିବ।ତୃଣମୂଳ ସ୍ତରରେ ୧୯ଟି ଏନଡିଆରଏଫ ଟିମ୍, ୫୧ଟି ଓଡ଼ିଆରଏଫ୍ ଟିମ୍, ୨୨୦ଟି ଅଗ୍ନିଶମ ବାହିନୀ ଟିମ୍ ସମେତ ୧୫୮ ପ୍ଲାଟୁନ ପୁଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି। ଗାଁ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଉଥିବା ବେଳେ ଗାଁରେ ୨୪ ଘଣ୍ଟିଆ ପୁଲିସ ପାଟ୍ରୋଲିଂ ହେବ’ । ସେମାନଙ୍କ ଘରଦ୍ୱାର ସୁରକ୍ଷାକୁ ବି ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।ଏଥିଯୋଗୁ ୧୧ଟି ଜିଲ୍ଲା କ୍ଷତିଗ୍ରସ୍ତ ହେବ ବୋଲି ଆକଳନ କରାଯାଇଛି। ଏହି ସମସ୍ତ ଜିଲ୍ଲାର ମୋଟ ୩୮ଟି ବ୍ଲକ ଓ ୯ ପୌରାଞ୍ଚଳ ୧୬୫୩ ଗାଁ ପ୍ରଭାବିତ ହେବ ।ରାଜ୍ୟରେ ବହୁମୁଖି ଆଶ୍ରୟ ସ୍ଥଳୀ ୭୨୮୫ରେ ଲୋକଙ୍କୁ ରଖାଯାଇଛି। ବହୁମୁଖି ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳୀ ୮୪୨ଟି ରହିଛି। ଅସ୍ଥାୟୀ ଆଶ୍ରୟ ସ୍ଥଳୀ ୬,୪୪୩ ରହିଛି। ୨୩୩୮ ଗର୍ଭବତୀଙ୍କୁ ସୁରକ୍ଷିତ ଭାବେ ମେଡିକାଲ ସ୍ଥାନାନ୍ତର କରାଯାଇଛି’। ସମ୍ପୃକ୍ତ ଜିଲ୍ଲାମାନଙ୍କୁ ୯୨ଟି ମେଡିକାଲ ଟିମ୍ ଓ ୫୮ଟି ପ୍ରାଣୀ ସମ୍ପଦ ବିଭାଗର ଡାକ୍ତର ଟିମ୍ ପଠାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |