ପୁରୀ,୨୩ା୧୧:ଆଜି ପ୍ରଥମାଷ୍ଟମୀ। ମାର୍ଗଶୀର ମାସର ଅଷ୍ଟମୀ ତିଥୀ ପ୍ରଥମାଷ୍ଟମୀ ଭାବରେ ପରିଚିତ।ପ୍ରଥମାଷ୍ଟମୀ ପାଇଁ ପୂରପଲ୍ଲୀରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ଅନୁଷ୍ଠିତ ହୋଇଛି ପୂଜାବିଧି। ମା’ମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିବା ସହ ଜ୍ୟେଷ୍ଠ ସନ୍ତାନକୁ ନୂତନ ବସ୍ତ୍ର ପିନ୍ଧାଇ ଫୁଲଚନ୍ଦନରେ ବନ୍ଦାପନା କରିଛନ୍ତି।ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ ହେଉଥିବା ପ୍ରଥମାଷ୍ଟମୀକୁ ପଢୁଆଁଷ୍ଟମୀ ମଧ୍ୟ କୁହାଯାଏ। ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷ ଆରମ୍ଭ ହେଉଥିଲା। ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି। ତେବେ ପ୍ରାୟ ପୂଜା ପାର୍ବଣ ଦେବଦେବୀଙ୍କୁ ସମ୍ମାନ ପାଇଁ କରାଯାଉଥିବାବେଳେ ପ୍ରଥମାଷ୍ଟମୀକୁ ଘରର ବଡ଼ମାନଙ୍କୁ ସେମାନଙ୍କର ବଡ଼ ହେବାର ଅଧିକାର ପାଇଁ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ପରିବାରର ପ୍ରଥମ ଜାତ ସନ୍ତାନଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ।ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର ବଳଭଦ୍ର। ଏନେଇ ଶ୍ରୀଜିଉଙ୍କ ମାମୁଘର ନିଆଳିରୁ ଶ୍ରୀମନ୍ଦିରକୁ ଆସିଛି ପୋଢୁଆଁ ଭାର।ନିଆଳି ବ୍ଳକର ମାଧବାନନ୍ଦ ଜିଉଙ୍କ ପୀଠରୁ ପାଟ ବସ୍ତ୍ର, ପିଠା ପାଇଁ ବିରି, ନଡିଆ, ଗୁଡ, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର ଫୁଲ ଫଳ ନେଇ ଭାର ଗତକାଲି ଶ୍ରୀକ୍ଷେତ୍ର ପହଞ୍ଚିଥିଲା। ପ୍ରଥମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |