ମସଜିଦ ସର୍ଭେକୁ ନେଇ ହିଂସା,ପୋଲିସ ଗୁଳିରେ ୪ ମୃତ

ସମ୍ଭଲ .୨୫ା୧୧: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଏକ ମସ୍‌ଜିଦରେ ରବିବାର ସକାଳେ ସର୍ଭେ ଚାଲିଥିବାବେଳେ ପୋଲିସ ଓ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଉକ୍ତ ସମ୍ପ୍ରଦାୟର ଲୋକେ ଟେକାମାଡ଼ କରିବାରୁ ୨୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସ ଉତ୍ତ୍ୟକ୍ତ ଜନତାଙ୍କ ଉପରକୁ ଗୁଳି ଚଳାଇବାରୁ ୪ ଯୁବକ(ନଉମାନ, ବିଲାଲ, ନଇମ ଓ ମହମ୍ମଦ କୈଫ୍‌)ଙ୍କ ମୃତ୍ୟୁ ଘଟିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷେ ପୋଲିସ ଏହାକୁ ଖଣ୍ଡନ କରିଛି। ପୋଲିସ ଏପରି କୌଣସି ଅସ୍ତ୍ର ବ୍ୟବହାର କରିନାହିଁ, ଯହିଁରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ ବୋଲି ସମ୍ଭଲ ଏସ୍‌ପି କୃଷ୍ଣକୁମାର ବିଷ୍ଣୋଇ କହିଛନ୍ତି। ଉତ୍ତେଜନା ଲାଗିରହିଥିବାରୁ ସମ୍ଭଲ ଅଞ୍ଚଳର ସ୍କୁଲଗୁଡ଼ିକୁ ବନ୍ଦ କରାଯିବା ସହ ଇଣ୍ଟରନେଟ ସେବାକୁ ବାତିଲ କରାଯାଇଛି। ଆଇନଜୀବୀ ବିଷ୍ଣୁଶଙ୍କର ଜୈନ ସମ୍ଭଲ ଜିଲା କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ।ସୂଚନା ମୁତାବକ, ହିଂସା ସୃଷ୍ଟି କରିବା ଅଭିଯୋଗରେ ସପା ସାଂସଦ ଜିୟାଉର୍‌ ରହମାନ ବର୍କ ଓ ସ୍ଥାନୀୟ ସମାଜବାଦୀ ପାର୍ଟି ବିଧାୟକ ଇକବାଲ ମହମୁଦଙ୍କ ପୁଅ ନବାବ ସୁହେଲ ଇକବାଲଙ୍କୁ ଦାୟୀ କରାଯାଇଛି। ମସ୍‌ଜିଦ ସର୍ଭେକୁ ନେଇ ରବିବାର ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପରେ ସମ୍ଭଲ ଥାନାରେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।ସମ୍ଭଲରେ ହୋଇଥିବା ହିଂସା ମାମଲାରେ ବର୍ତ୍ତମାନ ସୁଦ୍ଧା ୭ଟି ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଏହି ସମସ୍ତ FIRରେ ୨୫୦୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସମ୍ଭଲ ଏସପି କୃଷ୍ଣ କୁମାର ବିଷ୍ଣୁ କହିଛନ୍ତି, ‘ଗତକାଲି ଆହତ ହୋଇଥିବା ସବ୍-ଇନ୍ସପେକ୍ଟର ଦୀପକ ରାଠୀ ୮୦୦ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଜିୟା ଉର ରେହମାନ ବର୍କ ଏବଂ ସୋହେଲ ଇକବାଲଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏମାନେ ହିଂସାକୁ ଉସ୍‌କାଇଥିବା ଅଭିଯୋଗ ରହିଛି।ପୂର୍ବରୁ ମଧ୍ୟ ବର୍କଙ୍କୁ ନୋଟିସ ଦିଆଯାଇଥିଲା, ଏହା ସତ୍ତ୍ୱେ ସେ ଲୋକମାନଙ୍କୁ ଉସ୍‌କାଇଥିଲେ, ଯେଉଁଥିପାଇଁ ଲୋକମାନେ ଏହି ଘଟଣା ଘଟାଇଥିଲେ। ବର୍କଙ୍କୁ ଗିରଫ କରାଯିବ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମ୍ଭଲ ଏସ୍‌ପି କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!