ନୂଆଦିଲ୍ଲୀ,୧୨।୧୨: : ‘ଏକ ଦେଶ,ଏକ ନିର୍ବାଚନ’ ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ସଂସଦର ଚଳିତ ଅଧିବେଶନର ଏହି ବିଲ୍ ଆଗତ ହୋଇପାରେ ବୋଲି ଶୁଣିବାକୁ ମିଳୁଥିବା ବେଳେ ଆଜି କେନ୍ଦ୍ର କ୍ୟାବିନେଟ ଏହି ‘ୱାନ୍ ନେସନ, ୱାନ୍ ଇଲେକ୍ସନ’ ବିଲ୍କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବିସ୍ତୃତ ଆଲୋଚନା ପାଇଁ ଏହି ବିଲ୍ ମିଳିତ ସଂସଦୀୟ କମିଟି ନିକଟକୁ ପଠାଯାଇପାରେ। ଏହି ବିଲ୍ ଉପରେ ସରକାର ଏକ ସହମତି ଚାହୁଁଛନ୍ତି।ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱାଧୀନ କମିଟିର ସୁପାରିଶ କ୍ରମେ ଅନୁମୋଦିତ ହୋଇଥିଲା ଏକକ ନିର୍ବାଚନ ବିଧେୟକ । ଗତ ସେପ୍ଟେମ୍ବରରେ କେନ୍ଦ୍ର କ୍ୟାବିନେଟ ମଧ୍ୟ ବିଲ୍ କୁ ମଞ୍ଜୁରୀ ଦେଇଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୬୨ଟି ରାଜନୈତିକ ଦଳର ମତାମତ ନେଇ ବିଲ୍ ପ୍ରସ୍ତୁତ କରିଛନ୍ତି । ପ୍ରସ୍ତାବକୁ 32 ରାଜନୈତିକ ଦଳ ସମର୍ଥନ କରିଥିବାବେଳେ 15 ଦଳ ବିରୋଧ କରିଥିଲେ ଏବଂ 15ଟି ଦଳ ନିରୁତ୍ତର ରହିଥିଲେ । ମାର୍ଚ୍ଚ 14 ତାରିଖରେ ରାଷ୍ଟ୍ରପତିଙ୍କୁ 18ହଜାର ପୃଷ୍ଠାର ରିପୋର୍ଟ ହସ୍ତାନ୍ତର କରିଥିଲା ଏକକ ନିର୍ବାଚନ କମିଟି । ଏକକ ନିର୍ବାଚନ ବିଲ୍ ସଂସଦରେ ପାରିତ ହେବା ପରେ ଏକା ସାଙ୍ଗରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। ଏହାଫଳରେ ନିର୍ବାଚନ କମିସନ ଉପରେ ଚାପ କମିବା ସହ କମିବ ଆର୍ଥିକ ବ୍ୟୟ ।ଭାରତୀୟ ସମ୍ବିଧାନରେ ଏହାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ବିଭିନ୍ନ ସମୟରେ ସମାପ୍ତ ହୁଏ, ସେହି ଅନୁଯାୟୀ ସେହି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୁଏ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |