ମାଲକାନଗିରିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି

ମାଲକାନଗିରି,୧୪ା୧୨: ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଭେଟି ଦେଇଛନ୍ତି। ଏଠାରେ ୪ ହଜାର କୋଟି ବ୍ୟୟରେ ସିମେଣ୍ଟ କାରଖାନା ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ୨ ହଜାର ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ମିଳିବ।ମୁଖ୍ୟମନ୍ତ୍ରୀ ପ୍ରଥମେ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ କୃଷି ମେଳା ଉଦ୍‌ଘାଟନ କରିବା ସହ ମେଳାରେ ବିଭିନ୍ନ କମ୍ପାନୀ ଦ୍ୱାରା କୃଷି ଯନ୍ତ୍ରପାତି, ଯାନବାହନ ଇତ୍ୟାଦି ପରିଦର୍ଶନ କରିଥିଲେ। ପରେ ଡିଏନ୍‌କେ ଖେଳପଡ଼ିଆରେ ଓର୍‌ମାସ ତରଫରୁ ବିଭିନ୍ନ ଜିଲା ଏବଂ ରାଜ୍ୟରୁ ଆସିଥିବା ବ୍ୟବସାୟୀଙ୍କ ଷ୍ଟଲଗୁଡ଼ିକ ବୁଲି ଦେଖିଥିଲେ।ମାଲକାନଗିରିରେ ଏକ ମେଗା ସିମେଣ୍ଟ କାରଖାନା ନିର୍ମାଣ କରିବାକୁ ଯାଉଛନ୍ତି। ଏହି ପ୍ରକଳ୍ପରେ ୪୦୦୦ କୋଟି ଟଙ୍କାର ପୁଂଜି ନିବେଶ ହେବ। ଏହି କାରଖାନା ପ୍ରତିଷ୍ଠା ହେବା ଦ୍ବାରା ୨୦୦୦ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମାଲକାନଗିରି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଦକ୍ଷିଣକୁ ଉତ୍ତରକୁ ଉନ୍ନତମାନର ସଡ଼କ ପଥ ମାଧ୍ୟମରେ ସଂଯୋଗୀକରଣ କରିବାକୁ ଯାଉଛନ୍ତି। ମାଲକାନଗିରି ଜିଲ୍ଲା ମୋଟୁ ଠାରୁ  ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଯାଏଁ  ୬ ଥାକିଆ ସଡକ ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ଖୁବ ଶୀଘ୍ର ଜମି ଅଧିଗ୍ରହଣ କରାଯିବ।  ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ ମାଲ୍ୟବନ୍ତ ମହୋତ୍ସବର ଉଦ୍ଦେଶ୍ୟ, ଜିଲାର ଜନଜାତିଙ୍କ ବିଲୁପ୍ତ ହୋଇଯାଉଥିବା କଳା, ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ମାଲ୍ୟବନ୍ତ ଉତ୍ସବ ଏକ ମାଧ୍ୟମ ବୋଲି କହିଥିଲେ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲାକୁ ୧ ନମ୍ବର ଜିଲା ଭାବେ ପରିଣତ କରିବା ଏବଂ ଜିଲାର ସର୍ବାଙ୍ଗୀନ ଉନ୍ନତି ଆମ ସରକାରଙ୍କ ଦାୟିତ୍ୱ ବୋଲି ସେ ପ୍ରକାଶ କରିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମଞ୍ଚାସୀନ ଥିଲେ। ମାଲକାନଗିରି ଜିଲାର ସମସ୍ତ ଅଞ୍ଚଳରେ କିପରି ଶିକ୍ଷାର ବିକାଶ ସହ ଜନଜାତିଙ୍କ ପରମ୍ପରା ବଜାୟ ରହିବ ସେଥିପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶିକ୍ଷାମନ୍ତ୍ରୀ ଗଣ୍ଡ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲା ଓ ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ଦ୍ୱାରା ବିଭିନ୍ନ ଲୋକନୃତ୍ୟ ପରିବେଷଣ କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!