କୃଷକ ସଂଗଠନର ତିନିଘଣ୍ଟିଆ ରେଳରୋକ ଆନ୍ଦୋଳନ

ନୂଆଦିଲ୍ଲୀ,୧୯।୧୨:ଏମ୍‌ଏସ୍‌ପିକୁ ଆଇନତଃ ଲାଗୁ କରିବା ଦାବିରେ କୃଷକମାନେ ଆଜି ପଞ୍ଜାବର ବିଭିନ୍ନ ସ୍ଥାନରେ ତିନିଘଣ୍ଟା ରେଳ ରୋକ କରିଛନ୍ତି। ଏହାଦ୍ବାରା ୩୧ଟି ଟ୍ରେନ୍‌ର ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହା ସହ ଆସନ୍ତା ୩୦ ତାରିଖରେ ପଞ୍ଜାବ ବନ୍ଦ ଡାକରା ମଧ୍ୟ ଦେଇଛନ୍ତି। ଆଜି ସଂଯୁକ୍ତ କିସାନ୍‌ ମୋର୍ଚା (ଅଣ-ରାଜନୈତିକ) ଓ କିସାନ୍‌ ମଜଦୁର ମୋର୍ଚ୍ଚା ପକ୍ଷରୁ ରେଳ ରୋକ ଆନ୍ଦୋଳନର ଡାକରା ଦିଆଯାଇଥିଲା। ସଂଗଠନର ଶତାଧିକ ସଦସ୍ୟ ପଞ୍ଜାବର ୧୭ଟି ସ୍ଥାନ- ମୋଗା, ଫରିଦକୋଟ, କାଦିଆନ୍‌, ବାଟଲା, ଫିଲାଉର୍‌, ତଣ୍ଡା, ଦସାୟୁ, ମାହିଲ୍‌ପୁର, ମୁଖୁ, ତଲୱାଣ୍ଡି ଭାଇ, ଶାନେୱାଲ୍‌, ଶମ୍ଭୁ, ମୋହାଲି, ସୁନାମ୍‌, ଲେହେରା, ରାମପୁରା ଫୁଲ, ଦେବିଦାସପୁରାରେ ରେଳ ରୋକ କରିଥିଲେ।ରେଳବିଭାଗ ପକ୍ଷରୁ ଜାରି ସୂଚନାନୁସାରେ, ୩୧ଟି ଟ୍ରେନ୍‌ର ଚଳାଚଳ ବ୍ୟାହତ ହୋଇଥିଲା। ୯ଟି ଟ୍ରେନ୍‌ର ଅଳ୍ପ ଅବଧି ଯାତ୍ରା ହୋଇଥିବା ବେଳେ ଗୋଟିଏ ଟ୍ରେନ୍‌ର ଯାତ୍ରା ପଥ ପରିବର୍ତ୍ତନ କରାଯାଇଥିଲା। କିସାନ ମଜଦୁର ମୋର୍ଚ୍ଚାର ଆବାହକ ଶ୍ରବଣ ସିଂହ ପାନ୍ଧେର କହିଛନ୍ତି, ସଂଗଠନର ସଦସ୍ୟମାନେ ଅପରାହ୍‌ଣ ୧୨ଟାରୁ ୩ଟା ପର୍ଯ୍ୟନ୍ତ ରେଳ ଧାରଣା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅପରପକ୍ଷରେ, ଆମରଣ ଅନଶନରେ ବସିଥିବା ଚାଷୀ ନେତା ଜଗଜିତ ସିଂହ ଦାଲେୱାଲ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଏନେଇ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଯଦି ଦାଲେୱାଲଙ୍କ କୌଣସି ସମସ୍ୟା ହୁଏ ତେବେ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!