ସଂସଦ ପରିସରରେ ଝଗଡ଼ା , ଥାନାରେ ପହଞ୍ଚିଲେ କଂଗ୍ରେସ ଓ ବିଜେପି

ନୂଆଦିଲ୍ଲୀ,୧୯।୧୨: ପାର୍ଲାମେଣ୍ଟ ହାଉସ କମ୍ପ୍ଲେକ୍ସରେ ଭାଜପା ଏମପିଙ୍କ ସହ ଝଗଡ଼ା ହେବାର ଅଭିଯୋଗକୁ ନେଇ ଥାନାରେ ପହଞ୍ଚିଛି କଂଗ୍ରେସ ଓ ବିଜେପି। ସଂସଦ ବାହାରେ ବିଜେପି ଓ କଂଗ୍ରେସ ସାଂସଦଙ୍କ ମୁହାଁମୁହିଁ ସ୍ଥିତିକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଯୁଦ୍ଧ। ଉଭୟ ଦଳର ସାଂସଦଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଆରୋପ ପ୍ରତ୍ୟାରୋପ ଏବେ ଥାନାରେ ପହଞ୍ଚିଛି। ଉଭୟ ବିଜେପି ଓ କଂଗ୍ରେସ ଦଳର ସାଂସଦ ପରସ୍ପର ବିରୋଧରେ ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗରେ ଥାନାର ଦ୍ଵାରସ୍ଥ ହୋଇଛନ୍ତି।କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ନେତୃତ୍ଵରେ ବିଜେପି ସାଂସଦଙ୍କ ଏକ ପ୍ରତିନିଧି ଦଳ ଦିଲ୍ଲୀ ପୁଲିସର ଦ୍ଵାରସ୍ଥ ହୋଇଛି। କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଜେ ବିଜେପି ସାଂସଦଙ୍କୁ ଆକ୍ରମଣ କରିବା ସହ ନିଜ ଦଳର ସାଂସଦଙ୍କୁ ମଧ୍ୟ ହିଂସା କରିବାକୁ ଉସୁକାଇଥିବା ନେଇ ସଂସଦ ମାର୍ଗ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଥାନା ଆଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଭାରତ ନ୍ୟାୟ ସଂହିତାର ଧାରା ୧୦୯ (ହତ୍ୟା ଉଦ୍ୟମ) ସମେତ ୧୧୫, ୧୧୭, ୧୨୫, ୧୩୧ ଓ ୩୫୧ ଭଳି ଧାରା ଅଧିନରେ ଆମେ ଏତଲା ଦେଇଛୁ।ଅନ୍ୟପଟେ କଂଗ୍ରେସ ସାଂସଦଙ୍କ ଏକ ପ୍ରତିନିଧି ଦଳ ସେହି ସଂସଦ ମାର୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସମସ୍ତ ଘଟଣା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରଚାଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଗୋଟିଏ ଦିନ ପୂର୍ବରୁ ସଂସଦରେ ଦଳିତ ନେତା(ଖଡଗେ)ଙ୍କୁ ଅପମାନିତ କରାଯାଇଥିଲା। ଆଉ ଆଜି ବିଜେପି ସାଂସଦ ତାଙ୍କୁ ଠେଲିଦେଇ ଆହତ କରିଦେଲେ। ତେଣୁ ଏ ସବୁ ପଛରେ ଏକ ଷଡ଼ଯନ୍ତ୍ର ଥିବା କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ଅଭିଯୋଗ କରିଛନ୍ତି।ସେହିଭଳି ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ଭଳି କଂଗ୍ରେସର ଶୀର୍ଷ ନେତା ଅଭିଯୋଗ କରିଛନ୍ତି ଯେ ବିଜେପି ସଂସଦର ଗାରିମା ନଷ୍ଟ କରୁଛି। ରାଜ୍ୟସଭାରେ ବିରୋଧୀ ଦଳ ନେତା ଖଡଗେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖି ତାଙ୍କୁ ବିଜେପି ସାଂସଦ ଜାଣିଶୁଣି ଠେଲି ଦେଇଥିବା ଅଭିଯୋଗ କରିଛନ୍ତି। ଯାହା ଫଳରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ସେ ଚିଠିରେ ଲେଖିଛନ୍ତି। ଏହି ଆକ୍ରମଣ କେବଳ ମୋ ଉପରେ ନୁହେଁ, ବରଂ ସଂସଦର ସମ୍ବିଧାନ ଉପରେ ଆକ୍ରମଣ ବୋଲି ଖଡଗେ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!