କଟକ,୨୦ା୧୨ :କର୍ତ୍ତୃପକ୍ଷଙ୍କ ତ୍ରୁଟି ପାଇଁ ୫ବର୍ଷ ଧରି ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଚାକିରିରୁ ବଞ୍ଚିତ ଜଣେ ପ୍ରାର୍ଥୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ଲକ୍ଷେ ଟଙ୍କା କ୍ଷତିପୂରଣ ପ୍ରଦାନ କରିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଓପିଏସ୍ସି ଅଧ୍ୟକ୍ଷଙ୍କୁ ପତ୍ର ଲେଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି କୁହାଯାଇଛି। ନିଯୁକ୍ତି, ବରିଷ୍ଠତା ସମେତ ୧ ଲକ୍ଷ ଟଙ୍କା ଦୁଇମାସ ମଧ୍ୟରେ ଦେବା ପାଇଁ ହାଇକୋର୍ଟ ବର୍ଷେ ତଳେ ଦେଇଥିବା ନିର୍ଦ୍ଦେଶ ପାଳନ କରିବାକୁ ବୁଧବାର ନିର୍ଦ୍ଦେଶନାମା ଜାରି କରାଯାଇଛି। ସମ୍ପୃକ୍ତ ପ୍ରାର୍ଥୀ କୋରାପୁଟ ଜିଲା ବୋରିଗୁମ୍ମା ଅଞ୍ଚଳର ଅନୁଶ୍ରବ ଗନ୍ତାୟତଙ୍କୁ ୧ ଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସ୍ସିକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ଅନୁଶ୍ରବଙ୍କୁ ୨୦୨୪ ଜୁଲାଇ ୨୪ରେ ଟ୍ରେନିଂ ରିଜର୍ଭ ଅଫିସର ଭାବେ ପୁରୀରେ ନିଯୁକ୍ତି ଦେଇଥିବାବେଳେ ହାଇକୋର୍ଟଙ୍କ ଆଦେଶ ସମ୍ପୂର୍ଣ୍ଣ ପାଳନ ହୋଇନାହିଁ।୨୦୧୭ ବ୍ୟାଚ୍ର ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଅନୁଶ୍ରବ ଗନ୍ତାୟତଙ୍କ ପ୍ରାର୍ଥୀତ୍ବକୁ ମୌଖିକ ପରୀକ୍ଷା ପରେ ଆୟୋଗ ନାକଚ କରିଦେଇଥିଲେ। ପ୍ରାର୍ଥୀ ଜଣକ ୧୩୬୫ ନମ୍ବର ରଖିଥିବା ବେଳେ ୧୩୦୨ ନମ୍ବର ରଖିଥିବା ଅଣସଂରକ୍ଷିତ ଓ ୧୦୬୫ ନମ୍ବର ରଖିଥିବା ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ଯୋଗ୍ୟତା ତାଲିକାରେ ସ୍ଥାନ ଦିଆଯାଇଥିଲା। ସାଧାରଣ ପ୍ରଶାସନ ବିଭାଗ, ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଓ ମୁଖ୍ୟ ଶାସନ ସଚିବ ବାରମ୍ବାର ଏ ପ୍ରସଙ୍ଗରେ ଆୟୋଗଙ୍କ ଦୃଷ୍ଟିକୁ ଆଣିବା ସହ ବଞ୍ଚିତ ପ୍ରାର୍ଥୀଙ୍କ ନାମ ମେଧା ତାଲିକାରେ ସାମିଲ କରିବାକୁ କହିଥିଲେ। ଏପରିକି ସ୍ୟାଟ୍ ପକ୍ଷରୁ ମଧ୍ୟ ଅନୁରୂପ ମନ୍ତବ୍ୟ ଦିଆଯାଇଥିଲା। ହେଲେ ଆୟୋଗ ଅନୁଶ୍ରବଙ୍କ ନାମ ମେଧା ତାଲିକାରେ ସାମିଲ କରି ନ ଥିଲେ।ଫଳରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅପରପକ୍ଷରେ ତାଙ୍କ ବ୍ୟାଚ୍ର ଅନ୍ୟ ପ୍ରାର୍ଥୀମାନଙ୍କୁ ୨୦୧୯ ମସିହାରେ ଓଏଏସ୍ ପଦବୀରେ ନିଯୁକ୍ତି ଦିଆଯାଇଥିଲା। ୫ ବର୍ଷ ଧରି ମାମଲା ଚାଲିବା ପରେ ୨୦୨୩ ଡିସେମ୍ବର ୧୯ ତାରିଖରେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଏହି ବଞ୍ଚତ୍ତ ପ୍ରାର୍ଥୀଙ୍କ ନାମ ମେଧା ତାଲିକାରେ ସାମିଲ କରିବା ସହ ତାଙ୍କୁ ଓଏଏସ୍ ଚାକିରିରେ ନିଯୁକ୍ତି ଦେବାକୁ ଆଦେଶ ଦେଇଥିଲେ। ଏଥିସହ ମେଧା ତାଲିକା ଭିତ୍ତିରେ ତାଙ୍କର ବରିଷ୍ଠତା ନିର୍ଦ୍ଧାରଣ କରିବା, ପିଛିଲା ତାରିଖରୁ ତାଙ୍କ ନିଯୁକ୍ତି ଗଣନା କରିବା ଲାଗି ଆବଶ୍ୟକ ପଡ଼ିଲେ ସୁପରନ୍ୟୁମେରାରୀ ପଦବୀ ସୃଷ୍ଟି କରିବା, ତାଙ୍କ ବ୍ୟାଚ୍ର ଅନ୍ୟମାନଙ୍କ ଭଳି ତାଙ୍କ ବେତନ ନୋସନାଲି ନିର୍ଦ୍ଧାରଣ କରିବା ଓ ଆବଶ୍ୟକ ସ୍ଥଳେ ଦରମା ସଂଶୋଧନ କରିବା, ଏମିତିକି ତାଙ୍କଠାରୁ କନିଷ୍ଠ ଯଦି କେହି ପଦୋନ୍ନତି ପାଇଥାନ୍ତି ତେବେ ଆବେଦନକାରୀଙ୍କୁ ପଦୋନ୍ନତି ସହ ଅନ୍ୟାନ୍ୟ ସୁବିଧା ଦେବା ପାଇଁ ହାଇକୋର୍ଟ ରାୟରେ ସ୍ପଷ୍ଟ କରିଥିଲେ। ଏଥିସହ ପ୍ରାର୍ଥୀ ୫ ବର୍ଷ ଧରି ଚାକିରିରୁ ବଞ୍ଚତ୍ତ ହୋଇ ଯେଉଁଭଳି କ୍ଷତି ସହିଛନ୍ତି ତାହାକୁ ଦୃଷ୍ଟିରେ ରଖି ଦୁଇମାସ ମଧ୍ୟରେ ୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେବା ସହ ରାୟର ଅନୁପାଳନ ସଂକ୍ରାନ୍ତୀୟ ରିପୋର୍ଟ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ହାଇକୋର୍ଟରେ ଦାଖଲ କରିବାକୁ କହିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |