ଭୁବନେଶ୍ୱର,୨୩।୧୨: ୨୦୨୪ ଗତ ସାଧାରଣ ନିର୍ବାଚନରେ ବଡ଼ ଅନିୟମିତତା ଅଭିଯୋଗ ଆଣିଛି ବିଜୁ ଜନତା ଦଳ। ସୋମବାର ବିଜେଡି ସଂସଦୀୟ ଟିମ୍ ନିର୍ବାଚନ କମିଶନରଙ୍କୁ ଭେଟି ଏନେଇ ଅଭିଯୋଗ କରିଛନ୍ତି।ବିଜେଡି କହିଛି ଯେ, ଓଡ଼ିଶାରେ ଗତ ଲୋକସଭା ଓ ବିଧାନସଭା ନିର୍ବାଚନରେ କିଛି ଆସନରେ ଭୋଟ୍ ତାରତମ୍ୟ ଦେଖାଯାଇଛି। ଇଭିଏମ୍ରେ ପଡ଼ିଥିବା ଭୋଟ୍ ଓ ଗଣତି ଭୋଟିଂରେ ତାରତମ୍ୟ ଦେଖାଯାଇଛି। ସନ୍ଧ୍ୟା ୫ଟା ଓ ରାତି ୧୧ଟା ୪୫ର ଭୋଟ୍ ଗଣତି ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ମିଳିଛି। ୨୦୦୦ ମସିହାରୁ ଭୋଟ୍ ହେଉଥିଲେ ମଧ୍ୟ ଏତେ ତାରତମ୍ୟ ଦେଖାଯାଉ ନଥିଲା। କିନ୍ତୁ ନିର୍ଦ୍ଦିଷ୍ଟ କେତୋଟି ସଂସଦୀୟ ଓ ବିଧାନସଭା କ୍ଷେତ୍ରକୁ ନେଇ ଆମେ ଅଭିଯୋଗ ଆଣିଛୁ। ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ମାଗିଲେ ମିଳୁନାହିଁ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ସୁଲତା ଦେଓ ଉପସ୍ଥିତି ଥିଲେ।ନିର୍ବାଚନରେ ଅନିୟମିତା ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ ପରେ ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଜନାଦେଶକୁ ଗ୍ରହଣ କରିପାରୁ ନାହିଁ। ନିର୍ବାଚନ ପ୍ରକ୍ରିୟାରେ ଯଦି ତ୍ରୁଟି ରହିଛି, ତାହେଲେ ବିଜେଡି ଆଇନ୍ର ଆଶ୍ରୟ ନେବା ଦରକାର। କିନ୍ତୁ ବିଜେଡି ତାହା ନ କରି ସାମ୍ବାଦିକ ସମ୍ମିଳନୀ କରିବାର ଅର୍ଥ ରାଜନୀତି କରୁଛି। ବିଜେଡିରେ ଏବେ ସଂକଟ ପରିସ୍ଥିତି ଦେଖାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |