ଭୁବନେଶ୍ବର ,୬।୧: ଅତ୍ୟାବଶକୀୟ ଜିନିଷର ଅହେତୁକ ଦରବୃଦ୍ଧି ଜନସାଧାରଣଙ୍କୁ ଅତିଷ୍ଠ କରିଛି। ଦରଦାମ ବୃଦ୍ଧି ଯୋଗୁ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ଉପରେ ଏହା କିଛି ପ୍ରଭାବ ପଡୁ ନାହିଁ। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଉଭୟ କେନ୍ଦ୍ର ସରକାର ଓ ବିଜେପି ଶାସିତ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି। ଯାହାକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜୁ ଜନତା ଦଳ। ବିଜେଡି କହିଛି ଅର୍ଥନୀତି ପରିଚାଳନାରେ ସରକାର ଫେଲ୍। ମୁଦ୍ରାସ୍ଫିତି ରେକର୍ଡ ସ୍ତରରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଡିଜେଲ ଦର କମିଥିଲେ ବି ଏଠି ସରକାର କମାଉ ନଥିବା କହିଛି ବିଜେଡି। ସେପଟେ ବିଜେଡିର ଏ ପ୍ରତିବାଦକୁ କାଉଣ୍ଟର କରିଛି ବିଜେପି।ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ଏହା ପ୍ରଥମ ସମାବେଶ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଏ ଛ’ ମାସରେ ଓଡିଶା ଲକ୍ଷ୍ମୀଛଡା ହୋଇଗଲାଣି। କେନ୍ଦ୍ର ସହଯୋଗରେ ଓଡିଶା ଲକ୍ଷ୍ମୀଛଡା। ଦରଦାମ୍ ବୃଦ୍ଧି ଘଟିଛି। ସେପଟେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ସରକାରୀ ଦଳର ବିଧାୟକ ଓ ସାସଂଦଙ୍କ ପିସି ଆଦାୟକୁ ଦରଦାମ୍ ବୃଦ୍ଧିର ମୁଖ୍ୟ କାରଣ ବୋଲି କହିଛନ୍ତି। ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ଆଜି ବିଜୁ ଜନତା ଦଳର ଏହି ବିକ୍ଷୋଭ ଦେଖି ବିଜେପି ନେତାମାନେ ଘର କୋଣରେ ବସିଥିବେ। ଏହି ବିଶାଳ ଶୋଭାଯାତ୍ରା ଦେଖି ସେମାନଙ୍କ ଛାତିରେ ଛନକା ପଶିଛି। ଡବଲ ଇଞ୍ଜିନ ଅର୍ଥ ସବୁଥିରେ ଡବଲ। ଆଳୁ ପିଆଜ ରେଟଠୁ ନେଇ ସବୁ ଡବଲ।ଦରଦାମ ବୃଦ୍ଧି ସମସ୍ୟା ଏତେ ଉକ୍ରଟ ହୋଇଛି ଯେ ଗ୍ରାମାଞ୍ଚଳରେ ଆଜି ପରିବା କିଣିବାକୁ ଗଲେ ହଜାର ଟଙ୍କାର ପରିବା ଆଣିଲେ ମଧ୍ୟ ନିଅଣ୍ଟ ପଡୁଛି। ଆଳୁ, ପିଆଜ, ରସୁଣ, ଖାଇବା ତେଲ ଓ ଡାଲି ଜାତୀୟ ଜିନିଷର ଦରବୃଦ୍ଧି ଆକାଶଛୁଆଁ ହୋଇଛି। ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।ଅହେତୁକ ଦରବୃଦ୍ଧି ଯୋଗୁଁ ରାଜ୍ୟର ମହିଳାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମହିଳାଙ୍କ ହାଣ୍ଡିଶାଳକୁ ଗୋଇଠା ମାରିଛନ୍ତି ରାଜ୍ୟ ସରକାର। ଓଡ଼ିଶାର ମୁଦ୍ରାସ୍ପୀତି ମଧ୍ୟ ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ଜଣେ ସାଧାରଣ ମହିଳା ଆଜି ଏହି ଦରଦାମ ବୃଦ୍ଧି ଯୋଗୁଁ ତା’ର ପରିବାର ଚଳାଇବା ପାଇଁ ଓ ନିତ୍ୟ ଆବଶକୀୟ ଜିନିଷ ପ୍ରଦାନ କରିବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |