ଭୁବନେଶ୍ୱର, ୯ା୧:ଆଜି ପବିତ୍ର ଶାମ୍ବ ଦଶମୀ। ଘରେ ଘରେ ଅନୁଷ୍ଠିତ ହେଉଛି ସୂର୍ଯ୍ୟ ପୂଜା।ଶାମ୍ବ ଦଶମୀ, ସୂର୍ଯ୍ୟ ଦେବତାଙ୍କ ପୂଜା ଲାଗି ବିଭିନ୍ନ ପ୍ରକାରର ପିଠା, ମିଠା ପ୍ରସ୍ତୁତ କରିବା ସହ ଘାଣ୍ଟ ତରକାରୀ ଭୋଗ ଲଗାଯାଏ।ପରମ୍ପରା ଅନୁଯାୟୀ ଆଜି ପ୍ରାତଃ କାଳରେ ଘରେ ଘରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଇଛି। ନିଜ ପରିବାରକୁ ନିରୋଗ ରଖିବା ପାଇଁ ପ୍ରାତଃ, ମଧ୍ୟାହ୍ନ ଓ ଅପରାହ୍ନରେ ଲୋକେ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତାଙ୍କୁ ଆଜି ପୂଜା କରିଥାନ୍ତି। ସାମ୍ବଦଶମୀ ଅବସରରେ ଅର୍କକ୍ଷେତ୍ର କୋଣାର୍କରେ ଆପ୍ରସିଦ୍ଧ ସୂର୍ଯ୍ୟ ରଥ ବାହାରିବାର ପରମ୍ପରା ରହିଛି।ଏଥିପାଇଁ ଚଳଚଞ୍ଚଳ ହୋଇଛି ଅର୍କକ୍ଷେତ୍ର କୋଣାର୍କ। ସକାଳୁ ସକାଳୁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି। କଥିତ ଅଛି, ଅର୍କକ୍ଷେତ୍ର କୋଣାର୍କରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଉପାସନା କରି ଦୁରାରୋଗରୁ ମୁକ୍ତି ପାଇଥିଲେ। ଏଠାରେ ଥିବା ଅନନ୍ତ ଅବଧୂତ ମଠ ଠାରୁ ଚନ୍ଦ୍ରଭଗା ପର୍ଯ୍ୟନ୍ତ ସୂର୍ଯ୍ୟ ରଥ ଯାତ୍ରା କରିବ। ରଥ ଉପରେ କାକରା, ବରା ଓ ପୋଡପିଠା ଲାଗି କରାଯିବ। ରଥ ୨୭ ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ରହିବା ପରେ ୨୭ ନକ୍ଷତ୍ରରେ ପୂଜାର୍ଚ୍ଚନା କରାଯାଇ ମାଘ ସପ୍ତମୀରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ।ଶାମ୍ବ ଦଶମୀ ଅବସରରେ କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଓ ସୌର ମହାଯଜ୍ଞ ଅନୁଷ୍ଠିତ ହେଉଛି। ସୂର୍ଯ୍ୟ ରଥଯାତ୍ରା ୨୭ ଦିନ ଯାଏ ଚନ୍ଦ୍ରଭାଗାରେ ଅନୁଷ୍ଠିତ ହେବ। ଏହାକୁ ଦେଖିବାକୁ କୋଣାର୍କକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |