ନୂଆଦିଲ୍ଲୀ,୧୪।୧: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ ଏକ ସ୍ବତନ୍ତ୍ର ପୁରସ୍କାର ମିଳିଛି। ଆଇସିସି ବୁମରାଙ୍କୁ ‘ପ୍ଲେୟାର ଅଫ ଦି ମନ୍ଥ୍’ ପୁରସ୍କାର ପାଇଁ ଚୟନ କରିଛି। ଡିସେମ୍ବର ୨୦୨୪ ପାଇଁ ବୁମରାଙ୍କୁ ଏହି ପୁରସ୍କାର ଦିଆଯିବ। ଆଇସିସି ଏହାର ଅଫିସିଆଲ ୱେବସାଇଟ ମାଧ୍ୟମରେ ଏହି ସୂଚନା ଶେୟାର କରିଛି। ଭାରତର ଅଷ୍ଟ୍ରେଲିଆ ଗସ୍ତ ସମୟରେ ବୁମରା ଘାତକ ବୋଲିଂ କରିଥିଲେ। ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ପାଇଁ ବୁମରାଙ୍କୁ ପ୍ଲେୟାର ଅଫ ଦି ସିରିଜ ମଧ୍ୟ ବିବେଚିତ କରାଯାଇଥିଲା।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଇଥିଲା। ଏହି ସିରିଜରେ ସର୍ବାଧିକ ଉଇକେଟ ନେବାରେ ବୁମରା ଶୀର୍ଷରେ ଥିଲେ। ସେ ୫ଟି ମ୍ୟାଚ୍ରେ ୩୨ଟି ଉଇକେଟ ନେଇଥିଲେ। ବୁମରା ମୋଟ ୧୫୧.୨ ଓଭର ବୋଲିଂ କରିଥିଲେ। ଏହି ସମୟ ମଧ୍ୟରେ ହାରାହାରି ୧୩.୦୬ ଥିଲା। ସର୍ବଶ୍ରେଷ୍ଠ ଆଭ୍ରେଜ୍ ଦୃଷ୍ଟିରୁ ମଧ୍ୟ ବୁମରା ଶୀର୍ଷରେ ଥିଲେ। ସେ ସିରିଜରେ ତିନିଥର ପାଞ୍ଚ କିମ୍ବା ତା’ଠାରୁ ଅଧିକ ଉଇକେଟ ନେବାର କୃତିତ୍ୱ ମଧ୍ୟ ହାସଲ କରିଥିଲେ।ଅଷ୍ଟ୍ରେଲିଆର ଘାତକ ବୋଲର କମିନ୍ସ ସର୍ବାଧିକ ଉଇକେଟ ନେବାରେ ଦ୍ୱିତୀୟ ସ୍ଥାନରେ ଥିଲେ। ସେ ୫ଟି ମ୍ୟାଚ୍ରେ ୨୫ଟି ଉଇକେଟ ନେଇଥିଲେ। କମିନ୍ସ ‘ପ୍ଲେୟାର ଅଫ ଦି ମନ୍ଥ୍’ ଟାଇଟଲ ପାଇଁ ଦୌଡ଼ରେ ଥିଲେ। କିନ୍ତୁ ବୁମରା ତାଙ୍କୁ ପଛରେ ପକାଇ ଦେଇଥିଲେ। ଏହା ସହିତ ଦକ୍ଷିଣ ଆଫ୍ରିକାର ବୋଲର ଡାନ ପିଟରସନଙ୍କୁ ମଧ୍ୟ ମନୋନୀତ କରାଯାଇଥିଲା। କିନ୍ତୁ ବୁମରା ତାଙ୍କୁ ମଧ୍ୟ ପଛରେ ପକାଇ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |