ନୂଆଦିଲ୍ଲୀ,୧୭।୧: ଦିଲ୍ଲୀରେ ବିଧାନସଭା ନିର୍ବାଚନ ୫ ଫେବୃଆରୀରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ୮ ଫେବୃଆରୀରେ ଘୋଷଣା କରାଯିବ। ଏବେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ପରେ, ଭାରତୀୟ ଜନତା ପାର୍ଟି(ଭାଜପା)ମଧ୍ୟ ଶୁକ୍ରବାର ତାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି।ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜେପି ତା’ର ନିର୍ବାଚନୀ ଇସ୍ତାହାର ବା ସଙ୍କଳ୍ପ ପତ୍ର ଘୋଷଣା କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏହି ସଙ୍କଳ୍ପ ପତ୍ର ଜାରି କରିଛନ୍ତି। ଏଥିରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କ ପାଇଁ ଦଳ ପୂରା ହାତ ଖୋଲି ଦେଇଛି।ବିଜେପି ତା’ର ସଙ୍କଳ୍ପ ପତ୍ରରେ ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦେବ ବୋଲି ଘୋଷଣା କରିଛି। ମହିଳା ସମୃଦ୍ଧି ଯୋଜନାରେ ଏହି ଅର୍ଥ ଦିଆଯିବ। ଦିଲ୍ଲୀରେ ବିଜେପି ସରକାର ଗଠନ କଲେ, ପ୍ରଥମ କ୍ୟାବିନେଟ ବୈଠକରେ ଏହା ଉପରେ ମୋହର ମରାଯିବ ବୋଲି କହିଛନ୍ତି ଜେ.ପି ନଡ୍ଡା। ସୂଚନାଯୋଗ୍ୟ, ଆପ୍ ପ୍ରତି ମାସରେ ମହିଳାଙ୍କୁ ୨୧୦୦ ଟଙ୍କା ଦେବାକୁ ଘୋଷଣା କରିଥିବା ବେଳେ କଂଗ୍ରେସ ‘ପ୍ୟାରୀ ଦିଦି ଯୋଜନା’ରେ ୨୫୦୦ ଟଙ୍କା ଦେବ ବୋଲି ଘୋଷଣା କରିଛି।ଗର୍ଭବତୀଙ୍କୁ ଏକକାଳୀନ ୨୧ ହଜାର ଟଙ୍କା ଦେବାକୁ ଦଳ ଘୋଷଣା କରିଛି। ଏହା ସହିତ ସେମାନଙ୍କୁ ୬ଟି ପୁଷ୍ଟିକର କିଟ୍ ଦିଆଯିବ। କେବଳ ଏତିକି ନୁହେଁ, ପିଏମ୍ ମାତୃତ୍ୱ ବନ୍ଦନ ଯୋଜନାରେ ମହିଳାମାନଙ୍କୁ ସେମାନଙ୍କ ପ୍ରଥମ ସନ୍ତାନ ପାଇଁ ୫୦୦୦ ଟଙ୍କା ଓ ଦ୍ୱିତୀୟ ସନ୍ତାନ ପାଇଁ ୬୦୦୦ ଟଙ୍କା ଦେବାକୁ ଦଳ କରିଛି ଘୋଷଣା।ଦିଲ୍ଲୀର ଗରିବ ମହିଳାଙ୍କୁ ୫୦୦ ଟଙ୍କା ସବ୍ସିଡିରେ ଏଲ୍ପିଜି ସିଲିଣ୍ଡର ଯୋଗାଇ ଦିଆଯିବ। ହୋଲି ଓ ଦୀପାବଳି ଅବସରରେ ସେମାନଙ୍କୁ ମାଗଣାରେ ଗୋଟିଏ ଲେଖାଏଁ ଏଲ୍ପିଜି ସିଲିଣ୍ଡର ଦିଆଯିବ ବୋଲି ବିଜେପି ତା’ର ସଂକଳ୍ପ ପତ୍ରରେ ଘୋଷଣା କରିଛି।ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଦିଲ୍ଲୀର ଆପ୍ ସରକାର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରି ନାହାନ୍ତି। ତା’ଠାରୁ ଭଲ ଯୋଜନା ସେମାନେ କାର୍ଯ୍ୟକାରୀ କରୁଥିବା ଦର୍ଶାଇ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରି ନାହାନ୍ତି।ବିଜେପି କ୍ଷମତାକୁ ଆସିଲେ ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ସହିତ ବରିଷ୍ଠ ନାଗରିକମାନଙ୍କ (୭୦ ବର୍ଷରୁ ଅଧିକ) ପାଇଁ ସେଥିରେ ଅତିରିକ୍ତ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥା କରିବ ବୋଲି ଘୋଷଣା କରିଛି। ଆୟୁଷ୍ମାନ ଭାରତ ଯୋଜନାରେ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଦେଉଥିବା ବେଳେ ଦିଲ୍ଲୀରେ ବିଜେପି ସରକାର ଗଠନ କଲେ ବରିଷ୍ଠ ନାଗରିକମାନେ ଏହି ଯୋଜନାରେ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପାଇବେ।ବିଜେପି ବରିଷ୍ଠ ନାଗରିକମାନଙ୍କ ପାଇଁ ପେନ୍ସନ ଯୋଜନା ମଧ୍ୟ ଘୋଷଣା କରିଛି। ଏଥିରେ ୬୦-୭୦ ବୟସ ବର୍ଗର ଲୋକେ ମାସକୁ ୨୦୦୦ରୁ ୨୫୦୦ ଟଙ୍କା ପେନ୍ସନ ପାଇବେ। ୭୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକମାନଙ୍କୁ ମାସିକ ୩୦୦୦ ଟଙ୍କା ପେନ୍ସନ୍ ପ୍ରଦାନ କରାଯିବ। ସେହିପରି ବିଧବା ଓ ଦିବ୍ୟାଙ୍ଗମାନଙ୍କୁ ଦିଆଯାଉଥିବା ସହାୟତାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଦଳ ଘୋଷଣା କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |