ପ୍ରକାଶ ମିଶ୍ରଙ୍କ ପୁସ୍ତକ ‘କମେଡି ଇନ୍ ଖାକି’ ଉନ୍ମୋଚିତ

ଭୁବନେଶ୍ୱର,୨୨।୧: ପୂର୍ବତନ ପୋଲିସ ଡିଜି ତଥା ଭାଜପା ନେତା ପ୍ରକାଶ ମିଶ୍ରଙ୍କ ବହି ‘କମେଡି ଇନ୍‌ ଖାକି’ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି। ଏହି ବହି ଜରିଆରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ବହୁ ତଥ୍ୟ ପଦାକୁ ଆସିଛି। ପ୍ରକାଶ ମିଶ୍ର ନାଁ ନ ନେଇ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି। ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ଲିଖିତ ପୁସ୍ତକ ‘କମେଡି ଇନ୍ ଖାକି’ ପୁସ୍ତକ ଉନ୍ମୋଚିତ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ନେଇ ତାଙ୍କ ସମ୍ପର୍କରେ ଅନେକ ରୋଚକ ତଥ୍ୟ ଦେଇଛନ୍ତି ଶ୍ରୀ ମିଶ୍ର। ୧୭୯ ପୃଷ୍ଠାର ଏହି ପୁସ୍ତକର ମୋଟ ୧୦ଟି ଅଧ୍ୟାୟ ମଧ୍ୟରୁ ସବୁଠୁ ଅଧିକ ରୋଚକ ଅଧ୍ୟାୟ ‘ଦି ଅନକାନି ବସ’ ହୋଇଛି । ଯେଉଁଥିରେ ଶ୍ରୀ ମିଶ୍ର ଅତ୍ୟନ୍ତ ବ୍ୟଙ୍ଗାତ୍ମକ ଶୈଳୀରେ ନବୀନ ଓ ତାଙ୍କ କାର୍ଯ୍ୟଶୈଳୀକୁ କଟାକ୍ଷ କରିଛନ୍ତି।ସୋମବାର ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ଶ୍ରୀ ମିଶ୍ରଙ୍କ ଭାଇ ତଥା ପୂର୍ବତନ ଆଇଏଏସ୍ ପ୍ରସନ୍ନ ମିଶ୍ର, ପୂର୍ବତନ ଆଇପିଏସ୍ ବିବି ମିଶ୍ର ଓ ଆଇଆଇଏମଟି ନିର୍ଦ୍ଦେଶକ ରାମାନୁଜ ନାରାୟଣ ଉପସ୍ଥିତ ଥିଲେ। ସ୍କୁଲରେ ଖରାପ କ୍ୟାରିୟରରୁ ଆଇପିଏସ୍ ହେବା ଯାଏଁ ନିଜର ଜୀବନଯାତ୍ରା ବିଷୟରେ ସେ ଏହି ପୁସ୍ତକରେ ଲେଖିଛନ୍ତି। ନିଜ ଚାକିରି ଜୀବନ ଓ ଦୈନନ୍ଦିନ ଜୀବନର କିଛି କଥାକୁ ସେ ଏହି ବହିରେ ନିଖୁଣ ଭାବେ ଚିତ୍ରଣ କରିଛନ୍ତି।ଶ୍ରୀ ମିଶ୍ର ତାଙ୍କ ପୁସ୍ତକରେ ନବୀନଙ୍କ ନାଁ ନେଇ ବିଧାନସଭାରେ ନିଜ ବିଭାଗର ଉତ୍ତର ଦେବାକୁ ନବୀନ କିଭଳି ଏଡ଼ାଇ ଯାଉଥିଲେ ଓ କେଉଁ କୌଶଳ ଆପଣାଉଥିଲେ ତାହା ଉଜାଗର କରିଛନ୍ତି। ପ୍ରଥମେ ପ୍ରଥମେ ବିଧାନସଭାରେ ଉତ୍ତର ରଖିବାକୁ ଯାଇ କିଭଳି ହଟହଟା ହେଉଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନର ପ୍ରଶ୍ନକର୍ତ୍ତାଙ୍କୁ କିଭଳି ଅନୁପସ୍ଥିତ ରହିବାକୁ କୁହାଯାଉଥିଲା ସେସବୁ ଟ୍ରିକ୍ ଆପଣାଇଥିଲେ ନବୀନ। ପ୍ରଥମ ଦିନରେ ଜଣେ ବିଧାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତର ନବୀନ କୁଆଡ଼େ ପଢ଼ିଥିଲେ। କିନ୍ତୁ ସେହି ପ୍ରଶ୍ନ ଆଧାରରେ ଅନ୍ୟ ବିଧାୟକମାନେ ଯେଉଁ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ ଯଦିଓ ତା’ର ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ପାଇଁ ତାଙ୍କୁ ଆଗରୁ ଅଧିକାରୀମାନେ ପ୍ରସ୍ତୁତ କରିଥିଲେ. ତଥାପି ନବୀନ ଯେଉଁ ଉତ୍ତର ବିଧାନସଭାରେ ରଖିଥିଲେ ତାହା କେଉଁଥିରେ ବି ତାଳମେଳ ହେଉନଥିଲା। ଏମିତିକି ୨ରୁ ୩ଟି ପ୍ରଶ୍ନର ଉତ୍ତର ତାଳମେଳ ନଖାଇବାରୁ ବିଧାନସଭାରେ ବିଧାୟକମାନେ ହୋ-ହାଲ୍ଲା କରିଥିଲେ। ପରେ ବାଚସ୍ପତି ତାଙ୍କୁ ଭଲଭାବେ ପ୍ରସ୍ତୁତ ହୋଇ ଆସିବାକୁ ବି କହିଥିଲେ।ସେହିପରି ଆଉ ଏକ ଘଟଣାକ୍ରମର ଉଲ୍ଲେଖ କରି ଶ୍ରୀ ମିଶ୍ର ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାବେ ନବୀନ ତାଙ୍କ ନିର୍ବାଚନ ମଣ୍ଡଳୀକୁ ଯାଇଥିଲେ। ଭିଡ଼ ଅଧିକ ହୋଇଗଲା। ସାଧାରଣ ଲୋକେ ଗୋଟିଏ ପରେ ଗୋଟିଏ ଲମ୍ବା ଅଭିଯୋଗ ତାଲିକା ଧରି ନବୀନଙ୍କ ଆଗରେ ରଖିଥିଲେ। ଲମ୍ବା ସମୟ ଧରି ଲୋକେ ଅଭିଯୋଗ କରୁଥିଲେ। ନବୀନ ଭାବୁଥିଲେ ଲୋକଙ୍କ ପାଇଁ ତାଙ୍କ ଚେହେରା ଯଥେଷ୍ଟ। କିନ୍ତୁ ଏତେ ଲୋକଙ୍କ ଅଭିଯୋଗ ଶୁଣିବାବଳେ ବିରକ୍ତ ହୋଇ ଚିହିଁକି ଉଠିଲେ। ରାଗରେ ଗୁଣୁଗୁଣୁ ହୋଇଥିଲେ। ସ୍ଥାନୀୟ ବିଧାୟକଙ୍କୁ ଡାକିବାକୁ ହିନ୍ଦିରେ ନିର୍ଦ୍ଦେଶ ଦେଲେ। ସେଠାକାର ବିଧାୟକ ଖୋଦ୍ ଯେ ସିଏ ତାହା କହିବାକୁ କେହି ସାହସ କରିନଥିଲେ। କିଛି ସମୟ ପରେ ନବୀନ ପୁଣି ଥରେ ବିରକ୍ତ ହୋଇ ‘ୟାହାଁ କା ଏମଏଲଏ କୋ ଜଲଦି ବୁଲାଓ’ କହିଥିଲେ।ସେ ତାଙ୍କ ବହିରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଭାବରେ ମୁଖିଆ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିକୁ ଅଭିଯୋଗ ଶୁଣିବାକୁ ଯାଇଥିଲେ। ଭିଡ଼ ଅଧିକ ହୋଇଥିଲା। ସାଧାରଣ ଲୋକେ ଲମ୍ବା ଅଭିଯୋଗ ତାଲିକା ମୁଖିଆଙ୍କ ଆଗରେ ରଖିଥିଲେ। କିନ୍ତୁ ଏତେ ଲୋକଙ୍କ ଅଭିଯୋଗ ଶୁଣିବା ପରେ ସେ ରାଗିଯାଇଥିଲେ। କିଛି ସମୟ ପରେ ମୁଖିଆ ପୁଣି ଥରେ ଚିଡ଼ିକି ‘ୟାହାଁଙ୍କା ଏମ୍‌ଏଲ୍‌ଏ କୋ ଜଲଦି ବୁଲାଓ’ ବୋଲି କହିଥିଲେ। ପରେ ତାଙ୍କର ସବୁ ଅଧିକାରୀ ଓ ସହଯୋଗୀ ଚୁପଥିବା ବେଳେ ଜଣେ ସାହସ କରି ଏଠାକାର ବିଧାୟକ ଆପଣ ବୋଲି କହିଥିଲେ। ଏହାପରେ ତାଙ୍କ ମୁହଁ ଏକ କୁକୁର ଛୁଆ ମୁହଁରୁ ବିସ୍କୁଟ ଛଡେଇଲା ପରି ହୋଇଯାଇଥିଲା ବୋଲି ପ୍ରକାଶ ମିଶ୍ର ଲେଖିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!