ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୨୯।୧ :-ନବରଙ୍ଗପୁର ମହାବିଦ୍ୟାଳୟର ପ୍ରଥମ ଖେଳ ପଡ଼ିଆ ଠାରେ ଦ୍ଵି-ଦିବସୀୟ ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦଯାପିତ ହୋଇଯାଇଛି । ଏହି କ୍ରୀଡ଼ା ମହୋତ୍ସବର ପ୍ରଥମ ଦିନରେ ମହାବିଦ୍ୟାଳୟର କ୍ରୀଡ଼ା ସଂସଦ ଉପ ସଭାପତି ଡ଼. ଜାହାଙ୍ଗୀର ମହମ୍ମଦଙ୍କ ନେତୃତ୍ୱରେ ମା’ ଭଣ୍ଡାର ଘରଣୀ ମନ୍ଦିର ପ୍ରାଙ୍ଗଣରୁ ମଶାଲ ଶୋଭଯାତ୍ରା ଆରମ୍ଭ କରିଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷ ଡି. ଗୋବିନ୍ଦା ରାଓ ସମସ୍ତ କର୍ମଚାରୀମାନଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବାର୍ଷିକ କ୍ରୀଡ଼ା ମହୋତ୍ସବକୁ ଉଦଘାଟନ କରି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ଏବଂ କ୍ରୀଡ଼ା ସଂସଦର କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଦୁଇ ଦିନ ଧରି ଚାଲିଥିବା କ୍ରୀଡ଼ା ମହୋତ୍ସବର ଦ୍ବିତୀୟ ଦିନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡି. ଗୋବିନ୍ଦା ରାଓଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ଏବଂ ସମ୍ମାନିତ ଅତିଥି ଭାବରେ ସ୍ବତନ୍ତ୍ର ମାରାଥନ୍ ବ୍ୟକ୍ତିତ୍ଵ ଭାବେ ପରିଚିତ ଶ୍ରୀ ଚିତ୍ତରଞ୍ଜନ ପାତ୍ର, ଜିଲ୍ଲା କ୍ରୀଡ଼ା ସଂସଦ ଉପ ସଭାପତି ତଥା ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ମ୍ୟାନେଜର ଶ୍ରୀ ବାଳକୃଷ୍ଣ ରାଓ ପ୍ରମୁଖ ଅତିଥିମାନଙ୍କ ଉପସ୍ଥିତରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀ ନାୟକ କ୍ରୀଡ଼ା ମାଧ୍ୟମରେ ପିଲାମାନଙ୍କୁ ଶାରୀରିକ ଓ ବ୍ୟକ୍ତିତ୍ୱର ବିକାଶ ପାଇଁ ଅଧିକ ଧ୍ୟାନ ଦେବାକୁ କହିବା ସହ ମୋବାଇଲ୍ ଫୋନ ଠାରୁ ଦୂରେଇ ରହି କ୍ରୀଡ଼ା ଉପରେ ଅଧିକ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଶ୍ରୀ ପାତ୍ର ବରିଷ୍ଠ ନାଗରିକ ବର୍ଗରେ ଦେଶ ବିଦେଶରେ ମାରାଥନ୍ କରି କୃତିତ୍ୱ ଅର୍ଜନ କରିଥିବା ତାଙ୍କର ଅନୁଭୂତି ବଖାଣିବା ସହିତ ପିଲାମାନଙ୍କୁ ଶାରୀରିକ ସ୍ବାସ୍ଥ୍ୟ ପାଇଁ କ୍ରୀଡ଼ାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ଏବଂ ଶ୍ରୀ ବାଳକୃଷ୍ଣ ରାଓ ମହାବିଦ୍ୟାଳୟର ପୁରାତନ ଛାତ୍ର ଭାବରେ ତାଙ୍କର କଲେଜ ଜୀବନର କ୍ରୀଡ଼ା ଅନୁଭୂତି କହିବା ସହିତ ଖେଳ ମାଧ୍ୟମରେ ଉତ୍ତମ କ୍ୟାରିୟର ଗଠନ କରିବା ପାଇଁ ପିଲମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାର ପ୍ରଥମ ସ୍ଥାନ ହାସଲ କରିଥିବା ଦୁଇ ଖେଳାଳିଙ୍କୁ କଟକ ବାରବାଟୀରେ ହେବାକୁ ଥିବା ଭାରତ ଓ ଇଂଲଣ୍ଡ ମ୍ୟାଚ୍ ଦେଖିବା ପାଇଁ ଟିକେଟ ପ୍ରଦାନ କରିବାକୁ ଘୋଷଣା କରିଥିଲେ ।ମହାବିଦ୍ୟାଳୟର ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନିର ଶତାଧିକ ଛାତ୍ରଛାତ୍ରୀମାନେ ବିଭିନ୍ନ ବର୍ଗର ଦୌଡ଼ ପ୍ରତିଯୋଗିତା,ଲମ୍ବଡିଆଁ, ଉଚ୍ଚ ଡିଆଁ, ବର୍ଚ୍ଛା ଫିଙ୍ଗା, ଲୌହ ଥାଳିଆ ଫିଙ୍ଗା, ଲୌହ ଗୁଳା ଫିଙ୍ଗା, ମ୍ୟୁଜିକାଲ୍ ଚେୟାର ଇତ୍ୟାଦି ବିଭିନ୍ନ ପ୍ରକାର ଖେଳରେ ଉତ୍ସାହର ସହିତ ଭାଗ ନେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଉଦଯାପନୀ ଉତ୍ସବରେ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।ମହାବିଦ୍ୟାଳୟର କ୍ରୀଡ଼ା ସଂସଦ ଉପ ସଭାପତି ଡ଼. ଜାହାଙ୍ଗୀର ମହମ୍ମଦଙ୍କ ନେତୃତ୍ବରେ ଦୁଇ ଦିନ ଧରି ହୋଇଥିବା ବିଭିନ୍ନ ପ୍ରତିଯୋଗିତା ସଂପର୍କରେ ସୂଚନା ଦେଇଥିଲେ ଏବଂ ଦର୍ଶନ ଶାସ୍ତ୍ର ବିଭାଗ ମୁଖ୍ୟ ଶ୍ରୀ ଶମ୍ଭୁ ପ୍ରାସାଦ ହୋତା କ୍ରୀଡ଼ା ମହୋତ୍ସବର ଉଦଯାପନୀ ସମାରୋହରେ ଛାତ୍ର ଛାତ୍ରୀମାନଙ୍କୁ ଉଦବୋଧନ ଦେବା ସହିତ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ମହାବିଦ୍ୟାଳୟର କ୍ରୀଡ଼ା ସଂସଦର ସହକାରୀ ଉପସଭାପତି ଶ୍ରୀ ଆଲୋକ କୁମାର ଦାସ ମଞ୍ଚରେ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ୍ ଦେବା ସହ ମହାବିଦ୍ୟାଳୟ କ୍ରୀଡ଼ା ସଂସଦର ଅନ୍ୟ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଅଧ୍ୟାପକ ଶ୍ରୀ ପ୍ରଦୀପ୍ତ ଦାସ,ଶ୍ରୀ ନିରଞ୍ଜନ ତ୍ରିପାଠୀ, ଅଧ୍ୟାପିକା ଅନୁପମା ମାଝୀ,ରାଜନ୍ ତ୍ରିପାଠୀ ,ବନମାଳୀ ବେହେରା,ସୁନାଧର ଭତ୍ରା,ଅଶୋକ ପାତ୍ର ପ୍ରମୁଖ ସହଯୋଗ କରିଥିବାବେଳେ ବିଭିନ୍ନ ବିଭାଗର ଅଧ୍ୟାପକ – ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇ ଏହି କ୍ରୀଡା ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |