ଭୁବନେଶ୍ୱର,୧୫।୨ :କଂଗ୍ରେସରୁ ବିଗତ ଦିନରେ ଦଳ ବିରୋଧୀ କାର୍ଯ୍ୟ ହେଉ ବା ଅନ୍ୟ କୌଣସି କାରଣରୁ ନିଲମ୍ବିତ ନେତାମାନଙ୍କୁ ପୁଣି ଥରେ ଦଳକୁ ଫେରାଇ ଅଣାଯିବ। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଶୁକ୍ରବାର ଏନେଇ ଏକ ଚିଠି ଜାରି କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ଯେଉଁମାନଙ୍କୁ ବିଗତ ଦିନରେ କୌଣସି ପରିସ୍ଥିତି ନେଇ ନିଲମ୍ବନ ବା ବହିଷ୍କାର କରାଯାଇଥିଲା, ତାକୁ ପ୍ରତ୍ୟାହାର କରିନିଆଗଲା। ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ ଦଳ ଛାଡ଼ି ଚାଲିଯାଇଛନ୍ତି, ସେମାନେ ପୁନର୍ବାର ଫେରି ଆସିବାକୁ ସଭାପତି ନିବେଦନ କରିଛନ୍ତି।
ସେ ଆହୁରି ଉଲ୍ଲେଖ କରିଛନ୍ତି, ଯେଉଁମାନେ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ, ସେମାନଙ୍କୁ କଂଗ୍ରେସ ତରଫରୁ ସମ୍ମାନର ସହ ସ୍ବାଗତ କରାଯିବ। ଗତ ସାଧାରଣ ନିର୍ବାଚନ ସମୟରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ତେବେ ଏହି ନିଲମ୍ବନ ଆଦେଶ ପ୍ରତ୍ୟାହାର ପରେ ସୁରେଶ କହିଛନ୍ତି ଯେ, ଦଳକୁ ଫେରାଇ ନେଲେ କଂଗ୍ରେସ ପାଇଁ ସେ ଫୁଲ୍ ଦମ୍ରେ କାମ କରିବେ।୯ ମାସ ପରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ଘର ବାହୁଡା । ଶୁକ୍ରବାର ନିଲମ୍ୱନ ହଟିବା ପରେ ଶନିବାର ସେ କଂଗ୍ରେସ ଭବନକୁ ଯାଇ ନବ ନିର୍ବାଚିତ ପିସିସି ସଭାପତିଙ୍କୁ ଭେଟିଛନ୍ତି ସୁର । ଦୀର୍ଘ ଦିନ ପରେ କଂଗ୍ରେସକୁ ଫେରି ଖୁସି ଜାହିର କରିଛନ୍ତି ସୁର । କହିଲେ ୯ମାସ ହେବ ବହୁତ ଯନ୍ତ୍ରଣାରେ ଥିଲି, ଆଜି ମୁଁ ଫେରିଛି ମୋ ମନ୍ଦିରକୁ । ସେ ଆହୁରି କହିଛନ୍ତି କିଛି କୁଚକ୍ରୀ ମୋତେ ଷଡ଼ଯନ୍ତ୍ର କରି ନିଲମ୍ବନ କରିଥିଲେ । ଆଜି ମୋ ମନ୍ଦିରକୁ ମୁଁ ଫେରିଲି, ବହୁତ ଖୁସି । ଦଳରେ ‘ଆଉ କନ୍ଦଳ ରହିବନି, ମିଳିମିଶି ସଂଗଠନ ପାଇଁ କାମ କରିବୁ । ଆଖିରେ ଆଖିଏ ଲୁହ, ଛାତିରେ ପୁଳାଏ କୋହ କଂଗ୍ରେସ ଭବନ ଦୁଆର ମୁଣ୍ଡିଆ ମାରି ଭିତରକୁ ଆସିଥିଲେ ସୁର ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |