ନୂଆଦିଲ୍ଲୀ,୧୬।୨:ଶନିବାର ନୂଆଦିଲ୍ଲୀ ରେଳ ଷ୍ଟେସନରେ ବଡ଼ ଅଘଟଣ ଘଟିଛି । ପ୍ରୟାଗରାଜ ଯିବାକୁ ଅପେକ୍ଷାରେ ଯାତ୍ରୀଙ୍କ ମଧ୍ୟରେ ଧାଁ ଦୌଡ଼ ଏବଂ ଦଳଚକଟାରେ ୧୮ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଛି । ସେହିପରି ଏହି ଅଘଟଣରେ ଅନେକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଦିଲ୍ଲୀ ଏଲ୍ଏନ୍ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି । ୧୨ ଜଣ ଆହତ ହୋଇଛନ୍ତି। ଦିଲ୍ଲୀରୁ ପ୍ରୟାଗରାଜ ମହାକୁମ୍ଭକୁ ଯିବା ପାଇଁ ଥିବା ୨ଟି ସ୍ବତନ୍ତ୍ର ଟ୍ରେନ୍ ପହଞ୍ଚିବାରେ ବିଳମ୍ବ ହେବାରୁ ଷ୍ଟେଶନରେ ଭିଡ଼ ବଢ଼ିଥିଲା। ରାତି ପ୍ରାୟ ୧୦ଟା ବେଳେ ଟ୍ରେନ୍ ଧରିବା ପାଇଁ ୧୪ ଓ ୧୫ ନମ୍ବର ପ୍ଲାଟ୍ଫର୍ମରେ ଅନେକ ହଜାର ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ। ଗହଳି ଏବଂ ଠେଲାପେଲା ମଧ୍ୟରେ ଅନେକ ଯାତ୍ରୀ ତଳେ ପଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବାବେଳେ ୧୫ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ମୋଦି ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି ଯେ, ନୂଆଦିଲ୍ଲୀ ରେଳ ଷ୍ଟେଶନରେ ଦଳାଚକଟା ଯୋଗୁ ମୁଁ ମର୍ମାହତ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା। ଆହତମାନେ ଶୀଘ୍ର ଆରୋଗ୍ୟ ହେଉ ବୋଲି ମୁଁ ପ୍ରାର୍ଥନା କରୁଛି। ଏହି ଦଳାଚକଟା ଦ୍ୱାରା ପ୍ରଭାବିତ ସମସ୍ତଙ୍କୁ କର୍ତ୍ତୃପକ୍ଷ ସହାୟତା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି|ସେପଟେ ଏହି ଘଟଣାକୁ ନେଇ ରେୱଲେ ପକ୍ଷରୁ ସହାୟତା ରାଶି ଗୋଷଣା କରାଯାଇଛି । ମୃତକଙ୍କ ପାଇଁ 10 ଲକ୍ଷ ଟଙ୍କା ଗୁରୁତରଙ୍କ ପାଇଁ ଅଢେଇ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ 1 ଲକ୍ଷ ରାଶି ଘୋଷଣା କରାଯାଇଛି ।ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |