ଭୁବନେଶ୍ୱର ,୧୯।୦୨:ରାଜ୍ୟରେ ବୁଧବାରଠାରୁ ବର୍ଷା ହେବାର ସମ୍ଭାବନା ରହିଛି। ଘଡ଼ଘଡ଼ି ସହ ବର୍ଷା ହେବବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଫେବ୍ରୁଆରି ୧୯ରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି|ପଶ୍ଚିମା ଝଡ଼ ପ୍ରଭାବରେ ସପ୍ତାେହ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ମଙ୍ଗଳବାର ବିଭିନ୍ନ ଅଞ୍ଚଳରେ ଦିନ ତାପମାତ୍ରା ୩୬ଡିଗ୍ରୀ ଟପିଛି। ବୌଦ୍ଧରେ ପାରଦ ୩୬.୮ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବଲାଙ୍ଗିର ଓ ଟିଟିଲାଗଡ଼ରେ ୩୬, ପାରଳାଖେମୁଣ୍ଡି ୩୫.୧, ସୁବର୍ଣ୍ଣପୁର ୩୫.୧, ମାଲକାନଗିରି ୩୫.୬, ସମ୍ବଲପୁର ୩୫.୪, ଝାରସୁଗୁଡ଼ା ୩୫.୮, ଅନୁଗୋଳ ୩୫.୧, ଭୁବନେଶ୍ବର ୩୪.୧ ଏବଂ କଟକରେ ୩୨.୮ଡିଗ୍ରୀ ରହିଛି। ରାଜ୍ୟରେ ରାତି ତାପମାତ୍ରା ବଢୁଛି। ପ୍ରାୟ ଅଞ୍ଚଳରେ ୧୫ଡିଗ୍ରୀ ଉପରେ ରହିଥିବା ବେଳେ ଆସନ୍ତା ୨ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି।ସେହିପରି ଭଦ୍ରକ, ଯାଜପୁର ଓ ବାଲେଶ୍ୱରର ଅନେକ ସ୍ଥାନରେ ୧୦ରୁ ୧୫ମିମି ବର୍ଷା ସମ୍ଭାବନା ଅଛି । କେନ୍ଦ୍ରାପଡ଼ା ଓ ଢେଙ୍କାନାଳରେ ୫ରୁ ୧୦ମିମି ବର୍ଷା ହୋଇପାରେ । ୨୨ରେ ଭଦ୍ରକ, ବାଲେଶ୍ୱର ଓ ୨୩ରେ ଭଦ୍ରକରେ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦ୍ରାପଡ଼ାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ୨୧ ତାରିଖରେ ବର୍ଷାର ପରିମାଣ କମିବ। ଏହା ସହିତ ୨୩ ତାରିଖ ସନ୍ଧ୍ୟା ପରେ ବର୍ଷା ଛାଡ଼ିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |