ଆଜି ନ୍ୟୁଜିଲାଣ୍ଡ-ଭାରତ ମୁକାବିଲା

ଦୁବାଇ,୨।୩: ପାକିସ୍ତାନ ଓ ୟୁଏଇରେ ଚାଲିଥିବା ଚମ୍ପିଆନ୍‌ସ ଟ୍ରଫି କ୍ରିକେଟ ନବମ ସଂସ୍କରଣ-୨୦୨୫ରେ ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ।ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ରବିବାର ଖେଳାଯିବ ଲିଗ୍ ପର୍ଯ୍ୟାୟର ଅନ୍ତିମ ମୁକାବିଲା । ଦୁବାଇରେ ମୁହାଁମୁହିଁ ହେବେ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ । ଉଭୟ ଦଳ ସେମି ଫାଇନାଲରେ ସ୍ଥାନ ପକ୍କା କରିଥିବାରୁ ଏହି ମ୍ୟାଚ୍ ସେତେଟା ଗୁରୁତ୍ବପୂର୍ଣ୍ଣ ହେବ ନାହିଁ । ମାତ୍ର ଗ୍ରୁପର ଶୀର୍ଷ ସ୍ଥାନରେ ରହିବାକୁ ସଂଘର୍ଷ କରିବେ ଦୁଇ ଟିମ୍ । ସେହିପରି ମ୍ୟାଚର ଫଳାଫଳରେ ସେମି ଫାଇନାଲ୍ ଲାଇନ୍-ଅପ୍ ମଧ୍ୟ ଚୂଡ଼ାନ୍ତ ହେବ । ଗ୍ରୁପ୍‌-ଏ’ରେ ଭାରତ ଓ ନ୍ୟୁଜିଲାଣ୍ଡ ୨ଟି  ଲେଖାଏଁ ମ୍ୟାଚ୍‌ ଜିତି ସେମିରେ ପ୍ରବେଶ କରିସାରିଛନ୍ତି । ପଏଣ୍ଟ ତାଲିକାରେ ନ୍ୟୁଜିଲାଣ୍ଡ ପ୍ରଥମ ଓ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଗ୍ରୁପ୍‌ରୁ ପାକିସ୍ତାନ ଓ ବାଂଲାଦେଶ ବିଦାୟ ନେଇଛନ୍ତି । ରବିବାର ମ୍ୟାଚ୍‌ ଉପରେ ସେମି ଫାଇନାଲ୍‌ କ୍ରୀଡ଼ାସୂଚୀ ନିର୍ଭର କରୁଛି । ଗ୍ରୁପ୍‌-ଏ’ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିବା ଦଳ ସେମିରେ ଅଷ୍ଟ୍ରେଲିଆକୁ ଭେଟିବ ଓ ଦ୍ୱିତୀୟ ସ୍ଥାନରେ ରହୁଥିବା ଦଳ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିବ । ଗ୍ରୁପ୍‌-ବି’ରେ ଦକ୍ଷିଣ ଆଫ୍ରିକା ପ୍ରଥମ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଗ୍ରୁପ୍-ବିରୁ ଇଂଲଣ୍ଡ ଓ ଆଫଗାନିସ୍ତାନ ବିଦାୟ ନେଇଛନ୍ତି ।  ଆଫଗାନିସ୍ତାନ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ହେଁ ବର୍ଷା ଯୋଗୁଁ ଦଳର ସେମି ଫାଇନାଲ୍‌ ସ୍ୱପ୍ନ ମଉଳି ଯାଇଥିଲା ।  ଇଂଲଣ୍ଡ ୩ଟି ଯାକ ଲିଗ୍‌ ମ୍ୟାଚ୍‌ ହାରିଥିଲା । ଆଜିର ମ୍ୟାଚରେ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଶତକ ଇନିଂସ ଖେଳିଥିଲେ କୋହଲି । ସେ ଆଜି ସପ୍ତମ ଭାରତୀୟ ଭାବେ  ୩୦୦ତମ ଦିନିକିଆ ଖେଳିବେ । ଭାରତ  ଏହି ମ୍ୟାଚ୍‌ ପାଇଁ ଏକାଦଶରେ ପରିବର୍ତ୍ତନ କରିବା ନିଶ୍ଚିତ । ପେସ୍‌ ବୋଲର ମହମ୍ମଦ ସାମିଙ୍କୁ ସେମି ଫାଇନାଲ୍‌ ପାଇଁ ସାଇତି ରଖିବା ପାଇଁ ଆସନ୍ତାକାଲି ବିଶ୍ରାମ ଦିଆଯିବ । ତାଙ୍କ ସ୍ଥାନରେ ଅର୍ଶଦୀପ  ସିଂହ ଖେଳିବେ । ସେହିପରି କେଏଲ  ରାହୁଲଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ  ଖେଳିବାକୁ ସୁଯୋଗ ମିଳିପାରେ । ନ୍ୟୁଜିଲାଣ୍ଡ ଦଳରେ ୪ଜଣ  ବାମ ହାତି ବ୍ୟାଟର ରହିଛନ୍ତି । ତେଣୁ ଭାରତ ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦେଇ ୱାସିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିବ । ନ୍ୟୁଜିଲାଣ୍ଡ ଦଳରେ ମଧ୍ୟ ପରିବର୍ତ୍ତନ ହେବ ।  ପ୍ରମୁଖ ମଧ୍ୟକ୍ରମ ବ୍ୟାଟର ଡାରିଲ ମିଚେଲ ଫିଟ୍‌  ଘୋଷିତ ହୋଇଛନ୍ତି । ଫଳରେ ସେ ଆଜି  ଏକାଦଶକୁ ଫେରିବେ । ଭାରତ ୨୫ବର୍ଷ ତଳ ପରାଜୟର  ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଚାମ୍ପିଅନ୍ସ  ଟ୍ରଫିରେ ଉଭୟ ଦଳ ପୂର୍ବରୁ ଥରେ ମାତ୍ର ସାମ୍ନାସାମ୍ନି ହୋଇଥିଲେ । ୨୦୦୦ ମସିହାରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଚାମ୍ପିଅନ୍‌ ହୋଇଥିଲା । ଏହି ମ୍ୟାଚ୍‌ରେ କ୍ରିସ୍ କେର୍ଣ୍ଣସ  ଅପରାଜିତ ଶତକ ଅର୍ଜନ କରି ଦଳକୁ ଜିତାଇଥିଲେ ।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ୍‌ (ୱିକେଟ୍‌ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍‌, ରବୀନ୍ଦ୍ର ଜାଡ଼େଜା, ହର୍ଷିତ ରାଣା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ୍‌: ୱିଲ୍ ୟଙ୍ଗ୍‌, ଡେଭନ୍‌ କନୱେ, କେନ୍‌ ୱିଲିୟମସନ୍‌, ରାଚିନ ରବୀନ୍ଦ୍ର, ଟମ୍ ଲଥାମ (ୱିକେଟ୍‌ରକ୍ଷକ), ଗ୍ଲେନ୍ ଫିଲିପ୍ସ, ମାଇକେଲ୍‌ ବ୍ରେସ୍‌ୱେଲ୍‌, ମିଚେଲ୍ ସାଣ୍ଟନର୍ (ଅଧିନାୟକ), ‌ମ୍ୟାଟ୍ ହେନରି, କାଏଲ ‌ଜାମିସନ୍‌, ୱିଲିୟମ୍‌ ଓ’ରୁର୍କି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!