ନୂଆଦିଲ୍ଲୀ ୧୮।୦୩; ଆଉ କିଛି ଘଣ୍ଟାର ଅପେକ୍ଷା । ଦୀର୍ଘ ୯ମାସ ପରେ ମହାକାଶରୁ ଫେରିବେ ମହାକାଶ ବିଜ୍ଞାନୀ ସୁନୀତା ଓ୍ୱିଲିୟମ୍ସ ଓ ବୁଚ୍ ୱିଲମୋର। ତାଙ୍କ ଫେରିବାରେ ସାରା ବିଶ୍ୱରେ ଲୋକମାନେ ଯେତିକି ଖୁସି ତାଠାରୁ ଅଧିକ ତାଙ୍କ ପରିବାର ଲୋକେ ଉତ୍ସାହିତ ଅଛନ୍ତି। ଏହି ଖୁସି ମଧ୍ୟରେ, ତାଙ୍କ ସମ୍ପର୍କୀୟଙ୍କ ମୁହଁରେ ଡର ଓ ଚିନ୍ତା ଦେଖିବାକୁ ମିଳିଛି। ତାଙ୍କ ଭଉଣୀଙ୍କ ଫେରିବା ନେଇ ଭାଇ ଦୀନେଶ ରାୱଲ କହିଛନ୍ତି ଯେ ଯେତେବେଳେ ସେ ପୃଥିବୀ ପୃଷ୍ଠରେ ପାଦ ଦେବେ ସେତେବେଳେ ଆମେ ଦୀର୍ଘ ନିଶ୍ଵାସ ନେବୁ। ସମଗ୍ର ପରିବାର ଓ ଗାଁ ଲୋକେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ଶେଷରେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋର୍ ଆଉ ଦୁଇ ଜଣ ମହାକାଶଚାରୀଙ୍କ ସହ ମଙ୍ଗଳବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ଛାଡ଼ିବାକୁ ଯାଉଛନ୍ତି। ସ୍ପେସ୍ଏକ୍ସର ଡ୍ରାଗନ କ୍ୟାପ୍ସୁଲ ଏହି ମହାକାଶଚାରୀଙ୍କୁ ପୃଥିବୀରେ ପହଞ୍ଚାଇବା ପାଇଁ ୪୦୦ କିମିର ଯାତ୍ରାକୁ ୧୭ ଘଣ୍ଟା ସମୟ ନେବ। ପରେ ଆଟଲାଣ୍ଟିକ ମହାସାଗର କିମ୍ବା ମେକ୍ସିକୋ ଉପକୂଳରେ ଅବତରଣ କରିବ।ଡ୍ରାଗନ କ୍ୟାପ୍ସୁଲରେ ସୁନିତାଙ୍କ ସମେତ କ୍ରୁ-୯ର ଚାରି ମହାକାଶଚାରୀ ପୃଥିବୀକୁ ଫେରିବେ। ଏହା ପରେ ଯାନ ଆଇଏସଏସରୁ ଅନ-ଡକିଂ ହେବ। ଏହା ୫ଟି ପର୍ଯ୍ୟାୟରେ ଶେଷ ହେବ। ଆଇଏସଏସ ଛାଡ଼ିବା ପରେ ଏହା ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ କରିବ। ଏହି ପ୍ରକ୍ରିୟାକୁ ‘ରିଏଣ୍ଟ୍ରି’କୁହାଯାଏ। ମହାକାଶରେ ଡ୍ରାଗନ କ୍ୟାପସୁଲ୍ ସର୍ବନିମ୍ନ ଘଣ୍ଟା ପ୍ରତି ୧୮ ହଜାର କିମି ବେଗରେ ଗତି କରିବ। ମାତ୍ର ରିଏଣ୍ଟ୍ରି ସମୟରେ ବେଗ ହ୍ରାସ ପାଇବ। ଏହି ସମୟରେ ଡ୍ରାଗନ କ୍ୟାପ୍ସୁଲର କୋଣ ଯଦି ଟିକିଏ ବି ଏପାଖସେପାଖ ହୁଏ ତେବେ ତାହା ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ଯଦି ଯାନ ସିଧାସଳଖ ଭାବେ ବାୟୁମଣ୍ଡଳରେ ପ୍ରବେଶ କରେ ତେବେ ତାପମାତ୍ରା ୧୫୦୦ ଡିଗ୍ରୀ ସେଲ୍ସିୟରରୁ ଅଧିକ ହୋଇଯିବ। ଏହା ଦ୍ବାରା ନିଆଁ ଲାଗିଯିବାର ସମ୍ଭାବନା ରହିଛି। ସେହିପରି ଯଦି କଣେଇକି ଗୋଟିଏ ପାର୍ଶ୍ବରୁ ପ୍ରବେଶ କରେ ତେବେ ଯାନ ପୁଣିଥରେ ମହାକାଶକୁ ପଳାଇବାର ଆଶଙ୍କା ରହିଛି। ଏହା ବ୍ୟତୀତ ଯଦି ଫେରିବା ସମୟରେ ଥ୍ରଷ୍ଟର୍ସ କାମ କରିବନି ତେବେ ମହାକାଶଚାରୀଙ୍କ ପାଖରେ କିଛି ସମୟ ପାଇଁ ଅମ୍ଳଜାନ ଏବଂ ବିଦ୍ୟୁତ ଶକ୍ତି ରହିବ। ଏହାର କିଛି ଘଣ୍ଟା ମଧ୍ୟରେ ମହାକାଶଚାରୀଙ୍କୁ ଉଦ୍ଧାର କରିବାକୁ ହେବ। କିନ୍ତୁ ଏଭଳି ହେବାର ସମ୍ଭାବନା ବହୁତ କମ୍ ରହିଛି।ଅବତରଣର ୫୫୦୦ ମିଟର ଦୂରରୁ ପାରାଚୁଟ୍ ଖୋଲିବା ମଧ୍ୟ ଜରୁରୀ। ଡ୍ରାଗନ କ୍ୟାପସୁଲର ରିଏଣ୍ଟ୍ରି ପରେ ପ୍ରଥମେ ୨ଟି ଡ୍ରାଗ୍ ପାରାଚୁଟ ଖୋଲିଥାଏ। ଏହି ସମୟରେ ଯାନର ଗତି ଘଣ୍ଟାପ୍ରତି ୫୬୦ କିମି ରହିଥାଏ। ପାରାଚୁଟ ଏହି ଗତିକୁ ଅଧିକ ହ୍ରାସ କରି ଯାନକୁ ସ୍ଥିର ରଖିଥାଏ। ପରେ ଭୂପୃଷ୍ଠରୁ ୧୮୦୦ ମିଟର ଦୂରରେ ଥିବାବେଳେ କ୍ୟାପ୍ସୁଲର ଆଉ ଚାରୋଟି ମୁଖ୍ୟ ପାରାଚୁଟ ଖୋଲିଥାଏ। ଯଦି ସଠିକ ସମୟରେ ପାରାଚୁଟ୍ ନ ଖୋଲେ ତେବେ ଯାନ ଧାର୍ଯ୍ୟ ସୀମାଠାରୁ ଅଧିକ ବେଗରେ ମାଡ଼ହେବାର ସମ୍ଭାବନା ଥାଏ। ଏହା ଦ୍ବାରା ମହାକାଶଚାରୀଙ୍କ ପ୍ରତି ବିପଦ ସୃଷ୍ଟି ହୋଇପାରେ। ମାତ୍ର ଏହି ଡ୍ରାଗନ୍ କ୍ୟାପସୁଲ ଏ ପର୍ଯ୍ୟନ୍ତ ୪୯ଟି ଅଭିଯାନ ଶେଷ କଲାଣି। ୪୪ ଥର ମହାକାଶକୁ ଯାତ୍ରା କଲାଣି। ସୁରକ୍ଷା ଦୃଷ୍ଟି କୋଣରୁ ଏହା ଅଧିକ ସୁରକ୍ଷିତ ବୋଲି କୁହାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |